A LITTLE OF MY STORY
ମୂଳ କବିତା: ଡ଼. ଜୟକୃଷ୍ଣ ଚୌଧୁରୀ
ବିଶ୍ଳେଷଣ: ମନୋରମା ଚୌଧୁରୀ
ସ୍କୁଲ କଲେଜରେ ପଢ଼ିବା ସମୟରେ ବିଶିଷ୍ଟ ଲେଖକମାନଙ୍କ କବିତା ବା କାହାଣୀର ଭାବାର୍ଥ ଓ ଅନ୍ତର୍ନିହିତ ତତ୍ତ୍ୱକୁ ସରଳ ଭାଷାରେ ବିଶ୍ଳେଷଣ କରିବାକୁ କୁହାଯାଉଥିଲା। ଅନେକ ବର୍ଷ ପରେ ଆଜି ଯେତେବେଳେ ଡ଼. ଜୟକୃଷ୍ଣ ଚୌଧୁରୀଙ୍କ ରଚନା ପଢ଼େ, ବେଳେବେଳେ ସେହି ପରୀକ୍ଷା ସମୟର ଉଦ୍ବେଗ ଓ ଉତ୍କଣ୍ଠା ପୁଣି ମନରେ ଜାଗିଉଠେ।
ତାଙ୍କ ରଚନାଶୈଳୀର ଏକ ବିଶେଷତ୍ୱ ହେଉଛି ବହୁସ୍ତରୀୟ ଭାବବିନ୍ୟାସ। ଉପର ସ୍ତରରେ ଏକ ପରିଚିତ ପୌରାଣିକ କାହାଣୀର ଆବରଣ ଥିଲେ ମଧ୍ୟ, ତାହାର ଅନ୍ତରାଳରେ ମାନବ ମନସ୍ତତ୍ତ୍ୱ, ଆଧ୍ୟାତ୍ମିକ ଚେତନା ଓ ଦାର୍ଶନିକ ତତ୍ତ୍ୱର ଅନେକ ସ୍ତର ନିହିତ ଥାଏ। ପାଠକ ଗୋଟିଏ ସ୍ତର ଭେଦ କରୁ କରୁ ଯେମିତି ଆଉ ଏକ ସ୍ତରରେ ପହଞ୍ଚିଯାଏ। ‘ଶ୍ରୀ ଗଣେଶ’ କବିତାଟି ତାହାର ଏକ ଅତି ସୁନ୍ଦର ଉଦାହରଣ।
ପୌରାଣିକ କଥା ଅନୁଯାୟୀ ମାତା ପାର୍ବତୀ ନିଜ ଅଙ୍ଗର ମଳରୁ ଗଣେଶଙ୍କୁ ସୃଷ୍ଟି କରି ସ୍ନାନଗୃହର ଦ୍ୱାରରକ୍ଷୀ ଭାବେ ନିଯୁକ୍ତ କରନ୍ତି। ମାତୃଆଜ୍ଞା ପାଳନ କରି ଗଣେଶ ଶିବଙ୍କୁ ମଧ୍ୟ ପ୍ରବେଶ କରିବାକୁ ଦିଅନ୍ତି ନାହିଁ। ପରିଣାମରେ ଶିବ ତାଙ୍କର ଶିରଛେଦ କରନ୍ତି ଏବଂ ପରେ ଗଜମସ୍ତକ ସଂଯୋଗ କରି ତାଙ୍କୁ ପୁନର୍ଜୀବନ ପ୍ରଦାନ କରନ୍ତି। ଏଠାରେ କବି ଏହି ବହୁପରିଚିତ କାହାଣୀକୁ କେବଳ ପୌରାଣିକ ଘଟଣା ଭାବେ ନ ଦେଖି ମଣିଷର ଅନ୍ତର୍ଜଗତରେ ଘଟୁଥିବା ଚେତନାର ଏକ ରୂପାନ୍ତରଣ ଭାବେ ଦେଖିଛନ୍ତି।
ଏହି ବ୍ୟାଖ୍ୟାରେ ‘ଉମା’ କେବଳ ପାର୍ବତୀ ନୁହନ୍ତି; ସେ ଜୀବାତ୍ମା, ପ୍ରକୃତି ତଥା ସୀମିତ ମାନବ ଚେତନାର ପ୍ରତୀକ। ମନ, ବୁଦ୍ଧି ଓ ଅହଂକାର ପ୍ରକୃତିଜାତ ଏବଂ ପରିବର୍ତ୍ତନଶୀଳ; ଅପରପକ୍ଷରେ ‘ଶିବ’ ଏଠାରେ ଦିବ୍ୟ ଚେତନା ବା ଅପରିବର୍ତ୍ତନୀୟ ପରମ ସତ୍ତାର ପ୍ରତୀକ। ତେଣୁ କବିତାର ପ୍ରଥମ ପଙ୍କ୍ତିରୁ ଉମାଙ୍କର ଶିବଙ୍କ ପ୍ରତି ଆକୁଳତା କେବଳ ପତିପ୍ରେମର ଆକୁଳତା ହୋଇ ରହେନାହିଁ। ତାହା କ୍ରମେ ଜୀବାତ୍ମାର ପରମାତ୍ମା ସହ ମିଳନର ଆକାଙ୍କ୍ଷାରେ ପରିଣତ ହୁଏ।
“ମୁଁ ରଖିଛି ଲୁଚାଇ ନିଜକୁ
ଅନ୍ଧକାର ଗୁହା ଅଭ୍ୟନ୍ତରେ
ଉନ୍ମୁଖ ମୁଁ ଆଲୋକ ଆଡକୁ
‘ଉମା’ ବନ୍ଦୀ ସଂସାର ଜାଲରେ।”
ଏହି ‘ଗୁହା’କୁ ମଣିଷର ଅନ୍ତଃଚେତନାର ପ୍ରତୀକ ଭାବେ ପଢ଼ାଯାଇପାରେ। ମଣିଷ ଆଲୋକ ଆଡ଼କୁ ଯିବାକୁ ଚାହେଁ, ଅଥଚ ଇନ୍ଦ୍ରିୟସୁଖ, ପାର୍ଥିବ ସମ୍ପତ୍ତି, ସାଂସାରିକ ସମୃଦ୍ଧି, ମୋହ ଓ ଆସକ୍ତିର ଅନ୍ଧକାର ଗୁହା ମଧ୍ୟରେ ଇନ୍ଦ୍ରିୟ ସୁଖରେ ବାନ୍ଧି ରହେ। ଏହିଠାରୁ କବିତାର ମୂଳ ଅନ୍ତର୍ଦ୍ୱନ୍ଦ୍ୱ ଆରମ୍ଭ ହୁଏ।
ମୋ ‘ବୁଦ୍ଧି’ ଯା ‘ମୋହ’ର ସନ୍ତାନ
ଗଣେଶ ସେ ଗୁମ୍ଫା ଦ୍ଵାରେ ରହି,
ବାରବାର ରୁଦ୍ଧ କରେ ତୁମ
ପଥ ନିଜ ପାଶାଙ୍କୁଶ ନେଇ ।
ପାର୍ବତୀଙ୍କ ଅଙ୍ଗଜ ମଳରୁ ସୃଷ୍ଟ ଗଣେଶଙ୍କୁ କବି ସୀମିତ ମାନବ ମନ, ବୁଦ୍ଧି ଅହଂକାର ଆଦି ମୋହଜନିତ ଚେତନାର ରୂପକ ଭାବେ ଗ୍ରହଣ କରିଛନ୍ତି। ନିଜର ସୀମିତ ବୁଦ୍ଧି ଚେତନାକୁ ଉର୍ଦ୍ଧ୍ୱମୁଖୀ ହେବାରେ ବାଧା ସୃଷ୍ଟି କରୁଛି | ନଶ୍ଵର ମାନବ ସଂସାରରେ ନିଜ ଅହଂକୁ ଆଧାର କରି ଯେଉଁ ପରିଚିତ ସତ୍ତା ଗଢ଼ିଛି ତାକୁ ସୁରକ୍ଷା ଦେବାକୁ ଯାଇ ଦିବ୍ୟ ଚେତନାର ପ୍ରବେଶପଥକୁ ରୁଦ୍ଧ କରି ଦେଇଛି । ତେଣୁ ପୌରାଣିକ କାହାଣୀର ଦ୍ୱାରରକ୍ଷୀ ଗଣେଶ ଏଠାରେ ମାନବ ଅନ୍ତଃଚେତନାର ରୁଦ୍ଧ ଦ୍ୱାର ଭାବେ ବ୍ୟବହାର କରାଯାଇଛି।
ଆସେ ନନ୍ଦୀ ଆସଇ ଭ୍ରୁକୁଟି
ଭ୍ରୁକୁଟର ନନ୍ଦ ସଂରଚନା,
ଯେ ଧ୍ୟାନରେ ଆସନ୍ତି ଧୂର୍ଜଟୀ
ନେଇ ଦିବ୍ୟ ସେଇ ସମ୍ଭାବନା ।
ନନ୍ଦୀ ଓ ଭୃକୁଟି ଶିବଙ୍କର ଦୁଇ ଅନୁଚର | ପୌରାଣିକ କାହାଣୀ ଅନୁଯାଇ ସେମାନେ ଆସନ୍ତି ଗଣେଶଙ୍କ ସହ ଲଢ଼ିବା ପାଇଁ | ଏଠାରେ କିନ୍ତୁ କବିଙ୍କର କହିବାର ଅର୍ଥ ଦୁଇ ଭ୍ରୂଲତା ମଝିରେ ଥିବା ଆଜ୍ଞାଚକ୍ର ଉପରେ ଧ୍ୟାନ ସମୟରେ ଭ୍ରୁକୁଟିର ନନ୍ଦନ ରଚନା ସହିତ ଶିବଙ୍କର (ଧୂର୍ଜଟୀଙ୍କର) ଆବିର୍ଭାବ ପାଇଁ ଅର୍ଥାତ ଚେତନାର ଦ୍ୱାର ଖୋଲିବା ପାଇଁ ଏକ ଦିବ୍ୟ ସମ୍ଭାବନା ସୃଷ୍ଟି ହୁଏ | କହିବାର ତାତ୍ପର୍ଯ୍ୟ ଜୀବତ୍ମା ସହଜରେ ମୋହରୁ ମୁକ୍ତ ହେଇ ପାରେ ନାହିଁ |
ଏଠାରେ ‘ନନ୍ଦୀ’, ‘ଭ୍ରୁକୁଟି’, ‘ଧ୍ୟାନ’ ଓ ‘ଧୂର୍ଜଟୀ’କୁ ଏକାଠି ବୁଣି କବି ପୌରାଣିକ ଦୃଶ୍ୟର ଅନ୍ତରାଳରେ ଯୋଗଚେତନାର ଆଉ ଏକ ସ୍ତର ନିର୍ମାଣ କରିଛନ୍ତି। ଏହି ଶବ୍ଦଚାତୁରୀ କବିତାଟିର ବହୁସ୍ତରୀୟ ରଚନାଶୈଳୀର ଏକ ଚମତ୍କାର ଉଦାହରଣ।
କବି ଅତି ସୁନ୍ଦର ଭାବରେ ମାନବର ଦ୍ୱନ୍ଦ୍ୱକୁ ନେଇ କହିଛନ୍ତି—
“ଜୀବାତ୍ମା ଏ ଉମା ଜାଣେନାହିଁ
ଲୋଡ଼ା ତା’ର ମୁକ୍ତି ନା ବନ୍ଧନ,
କେବେ କରେ ମୁକ୍ତି ପଥ ରୋଧ
କେବେ ମୁକ୍ତି ପାଇଁକି କ୍ରନ୍ଦନ।”
ଏହି ଚାରିଟି ପଙ୍କ୍ତି କବିତାର ମନସ୍ତାତ୍ତ୍ୱିକ କେନ୍ଦ୍ରବିନ୍ଦୁ। ମଣିଷର ଆଧ୍ୟାତ୍ମିକ ଯାତ୍ରାର ଏହା ଏକ ଚିରନ୍ତନ ଦ୍ୱନ୍ଦ୍ୱ। ଜୀବାତ୍ମା ମାଟିମନସ୍କ ବି ଥାଏ, ଆକାଶମନସ୍କ ମଧ୍ୟ; ଦେହମନସ୍କ ବି ଥାଏ, ବିଦେହମନସ୍କ ମଧ୍ୟ । ଜୀବାତ୍ମା ମୁକ୍ତି ଚାହେଁ, ପୁଣି ନିଜର ପରିଚିତ ସଂସାରର ବିଲୟକୁ ଭୟ ମଧ୍ୟ କରେ। ସେ ମୁକ୍ତି ଚାହେଁ, କିନ୍ତୁ ଯେଉଁ ‘ମୁଁ’, ଯେଉଁ ସଂସାର, ଯେଉଁ ସୁଖସମ୍ପତ୍ତିକୁ ନେଇ ତାର ପରିଚୟ ଗଢ଼ିଉଠିଛି, ସେସବୁକୁ ଅତିକ୍ରମ କରିବାକୁ ମଧ୍ୟ ଭୟ କରେ ।
ଶିବ ତୁମେ ବୁଝ ଏ ବ୍ୟାମୋହ
ମୋ ହୃଦୟ ନିରବ ପ୍ରାର୍ଥନା,
କାଟ, ବିନାୟକ ମାୟା ମୋହ
ଶିର ଯାହା ପ୍ରକୃତି ସର୍ଜନା ।
ଉମା ରୁପୀ ଜୀବତ୍ମା ଏଠାରେ ପ୍ରାର୍ଥନା କରୁଛନ୍ତି ‘ହେ ଶିବ, ମୋର ଇନ୍ଦ୍ରିୟ ମୋହକୁ ବୁଝିବାକୁ ଚେଷ୍ଟା କର । ମୋର ମୋହରୁ ହିଁ ମୋର ପରିଚୟ, ମୋ ପରିଚୟରୁ ବନ୍ଧନ ଓ ବନ୍ଧନର ପ୍ରତୀକ ବିନାୟକ ଯିଏକି ମୋତେ ତୁମ ଠାରୁ ଦୁରେଇ ରଖିଛି । ମୁଁ ନୀରବରେ ପ୍ରାର୍ଥନା କରୁଛି ଯେଉଁ ‘ମୋହ’ରୁ ମୁଁ ନିଜକୁ ମୁକ୍ତ କରିବାକୁ ଚାହୁଁଛି କିନ୍ତୁ ଅସଫଳ ହେଉଛି ତୁମେ ସେଥିରୁ ମୋତେ ମୁକ୍ତ କର ଏବଂ ଗଣେଶର ଶିର ଛେଦନ କର, ଯାହା ଜଡ଼ ପ୍ରକୃତିର ପ୍ରତୀକ । ତେଣୁ ଏଠାରେ ‘ଗଣେଶ’ଙ୍କ ଶିରଚ୍ଛେଦର ପ୍ରତୀକାତ୍ମକ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
ଧ୍ଵସ୍ତ ଯେଣୁ ତାର ବିନାୟକ
ଦିବ୍ୟ ଶିବ ଚେତନା ସ୍ପର୍ଶରେ,
ତେଣୁ ଉମା କାନ୍ଦଇ ବିକଳେ
ବିହ୍ଵଳ ସେ ତ୍ରିଗୁଣ ତତ୍ତ୍ଵରେ ।
ଏହିଠାରେ କବିତାର ଗଭୀର ମନସ୍ତାତ୍ତ୍ୱିକ ସ୍ତର ସ୍ପଷ୍ଟ ହେଉଛି। ଯେତେବେଳେ ମୋହ-ଆବଦ୍ଧ ସତ୍ତାର ଧ୍ବଂସ ହୁଏ, ପରମାତ୍ମାଙ୍କ ସ୍ପର୍ଶରେ ଚେତନାର ଦ୍ୱାର ଖୋଲିଯାଏ, ଜୀବତ୍ମା କାନ୍ଦିଉଠେ । କାରଣ ଉମା ଦିବ୍ୟ ମିଳନ ଚାହୁଁଛନ୍ତି, ମୁକ୍ତି ଚାହୁଁଛନ୍ତି, କିନ୍ତୁ ଯାହାକୁ ନିଜେ ସୃଷ୍ଟି କରିଛନ୍ତି, ଯାହାକୁ “ମୋର” ବୋଲି ଧରି ରଖିଛନ୍ତି, ତାହାର ବିନାଶକୁ ସହଜରେ ସ୍ୱୀକାର କରିପାରୁନାହାନ୍ତି। ମୁକ୍ତିର ଆକାଙ୍କ୍ଷା ଅଛି, କିନ୍ତୁ ମୋହର ବିଚ୍ଛେଦରେ ବ୍ୟାକୁଳତା ମଧ୍ୟ ଅଛି । “ତ୍ରିଗୁଣ ତତ୍ତ୍ୱ” ଶବ୍ଦଟି ଏଠାରେ ବିଶେଷ ଅର୍ଥବହ । ସତ୍ତ୍ୱ, ରଜ ଓ ତମ ଏହି ତିନି ଗୁଣ ପ୍ରକୃତିର ମୂଳ ଗୁଣ ଭାବେ ମନୁଷ୍ୟର ସାଂସାରିକ ଚେତନାକୁ ପ୍ରଭାବିତ କରନ୍ତି । ଉମା ଏଠାରେ ପ୍ରକୃତି ଓ ଜୀବାତ୍ମାର ପ୍ରତୀକ ହୋଇଥିବାରୁ ସେ ଏବେ ବି ସେହି ତ୍ରିଗୁଣର ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ନୁହନ୍ତି । ତେଣୁ ଦିବ୍ୟ ଚେତନା ତାଙ୍କୁ ଉତ୍ତରଣର ଦ୍ୱାରରେ ପହଞ୍ଚାଇଦେଲେ ମଧ୍ୟ ପୁରୁଣା ସତ୍ତାର ବିଲୟ ତାଙ୍କ ଭିତରେ ଭୟ, ବ୍ୟାକୁଳତା ଓ ମୋହଜନିତ ବିହ୍ୱଳତା ସୃଷ୍ଟି କରୁଛି।
“ଗଣେଶକୁ ମିଳେ ଜୀବନ୍ୟାସ
ଚେତନାର ଉତ୍ତରଣ ସାଥେ,
‘ବାରଣ’ର ଶିରରେ ପ୍ରକାଶ
ସେତୁ ଦିବ୍ୟ ଅଦିବ୍ୟ ସହିତେ।”
ଗଣେଶଙ୍କ ଧ୍ୱଂସ ଏଠାରେ ଶେଷ ନୁହେଁ; ବରଂ ତାହା ଏକ ରୂପାନ୍ତରଣର ପୂର୍ବାବସ୍ଥା । ଶିବଙ୍କ ଦିବ୍ୟ ଚେତନାର ସ୍ପର୍ଶରେ ପୁରୁଣା ସୀମିତ ସତ୍ତାର ବିନାଶ ଘଟେ ଏବଂ ଗଜମସ୍ତକ ପ୍ରାପ୍ତି ସହ ଗଣେଶଙ୍କୁ ମିଳେ ନୂତନ ଜୀବନ୍ୟାସ । ଅର୍ଥାତ୍ ଏଠାରେ ବୁଦ୍ଧିର ସମ୍ପୂର୍ଣ୍ଣ ବିନାଶ ହୁଏନାହିଁ, ଘଟେ ତାହାର ଉତ୍ତରଣ ଓ ରୂପାନ୍ତରଣ । ମୋହଜାତ ସୀମିତ ବୁଦ୍ଧି ଦିବ୍ୟ ଚେତନାର ସ୍ପର୍ଶରେ ଏକ ଉଚ୍ଚତର ବୋଧରେ ରୂପାନ୍ତରିତ ହୁଏ ।
ଏଠାରେ କବିଙ୍କ ‘ବାରଣ’ ଶବ୍ଦର ପ୍ରୟୋଗ ବିଶେଷ ଅର୍ଥବହ। ‘ବାରଣ’ର ଅର୍ଥ ଗଜ ବା ହସ୍ତୀ; ପୁଣି ‘ବାରଣ କରିବା’ର ଅର୍ଥ ନିବାରଣ ବା ପଥରୋଧ କରିବା। ପ୍ରଥମେ ଯେଉଁ ଗଣେଶ ଶିବଙ୍କ ପ୍ରବେଶକୁ ବାରଣ କରି ଦିବ୍ୟ ଚେତନାର ପଥରେ ବାଧା ହୋଇଥିଲେ, ଗଜମସ୍ତକ ପ୍ରାପ୍ତି ପରେ ସେହି ‘ବାରଣ’ ଦିବ୍ୟ ଓ ଅଦିବ୍ୟ ମଧ୍ୟରେ ସେତୁ ହୋଇଉଠନ୍ତି। ବାଧାରୁ ସେତୁ ହେବାର ଏହି ରୂପାନ୍ତରଣରେ କବିଙ୍କ ଶବ୍ଦଚାତୁରୀ ସହ କବିତାର ଗଭୀର ଦାର୍ଶନିକ ଭାବ ମଧ୍ୟ ପ୍ରକାଶିତ ହୋଇଛି। ଏଠାରେ ‘ବାରଣ’ର ଆଉ ଏକ ଅର୍ଥ ହେଉଛି ସେତୁ ।
ଏହି ଭାବକୁ କବି ପରବର୍ତ୍ତୀ ପଙ୍କ୍ତିରେ ଉପନିଷଦୀୟ ଓ ଅଦ୍ୱୈତ ଚେତନାର ଆଉ ଏକ ସ୍ତରକୁ ନେଇଯାଇଛନ୍ତି –
‘ନେତି, ନେତି’ ବ୍ରହ୍ମର ସୂଚନା
‘ସୋହଂ’ ସିନା ଦିବ୍ୟ ଏକ ସେତୁ,
ଗଜାନନ କହ ସେ କାହାଣୀ
ତୁମେ ଆଦି ସଂସାରର ହେତୁ ।
ନିର୍ଗୁଣ ବ୍ରହ୍ମଙ୍କୁ କୌଣସି ନିର୍ଦ୍ଦିଷ୍ଟ ରୂପ, ଗୁଣ ବା ସୀମା ମଧ୍ୟରେ ବାନ୍ଧିହୁଏ ନାହିଁ। ଉପନିଷଦୀୟ ‘ନେତି, ନେତି’, ଅର୍ଥାତ୍ ‘ଏହା ନୁହେଁ, ତାହା ନୁହେଁ’, ସୀମିତ ସଂଜ୍ଞା ଓ ରୂପର ନିଷେଧ ମାଧ୍ୟମରେ ସେହି ଅସୀମ ବ୍ରହ୍ମଙ୍କ ଆଡ଼କୁ ସଙ୍କେତ କରେ। ଅଦ୍ୱୈତ ବେଦାନ୍ତରେ ଏହି ତତ୍ତ୍ୱ ବିଶେଷ ଗୁରୁତ୍ୱ ବହନ କରେ।
ଅନ୍ୟପକ୍ଷରେ ‘ସୋହଂ’ର ଅର୍ଥ ‘ସଃ ଅହମ୍’, ଅର୍ଥାତ୍ ‘ସେ ହିଁ ମୁଁ’ । ‘ସେ’ ପରମ ସତ୍ତା, ‘ମୁଁ’ ଜୀବସତ୍ତା । ଯେ ପର୍ଯ୍ୟନ୍ତ ଜୀବାତ୍ମା ନିଜକୁ ଦେହ, ଇନ୍ଦ୍ରିୟ, ମନ, ବୁଦ୍ଧି ଓ ଅହଂର ସୀମା ମଧ୍ୟରେ ଦେଖେ, ସେପର୍ଯ୍ୟନ୍ତ ‘ମୁଁ’ ଓ ‘ସେ’ ମଧ୍ୟରେ ଭେଦ ରହିଥାଏ । ଚେତନାର ଉତ୍ତରଣ ସହ ସେହି ଭେଦ କ୍ରମେ ବିଲୟ ହୁଏ ଏବଂ ‘ସୋହଂ’ର ଅନୁଭୂତିରେ ଜୀବସତ୍ତା ଓ ପରମ ସତ୍ତାର ଏକତ୍ୱ ପ୍ରକାଶିତ ହୁଏ ।
ଏହି ଦୃଷ୍ଟିରୁ ‘ଦିବ୍ୟ ଅଦିବ୍ୟ’କୁ ପରମ ଚେତନା ଓ ସୀମିତ ଜୀବଚେତନାର ଦୁଇ ସ୍ତର ଭାବେ ପଢ଼ାଯାଇପାରେ। ଗଜାନନ ସେହି ଦୁଇ ସ୍ତର ମଧ୍ୟରେ ପ୍ରତୀକାତ୍ମକ ସେତୁ। ଯେଉଁ ବୁଦ୍ଧି ମୋହରେ ଆବଦ୍ଧ ଥିବାବେଳେ ଦିବ୍ୟ ଚେତନାର ପଥରେ ବାଧା ସୃଷ୍ଟି କରୁଥିଲା, ସେହି ବୁଦ୍ଧି ରୂପାନ୍ତରିତ ହୋଇ ଏବେ ଦିବ୍ୟ ଉପଲବ୍ଧିର ସହାୟକ ହୁଏ । ଏହିଠାରେ ଗଣେଶଙ୍କ ଶିରଛେଦ ଓ ଗଜମସ୍ତକ ପ୍ରାପ୍ତିର ପୌରାଣିକ କାହାଣୀ ଏକ ଗଭୀର ଆଧ୍ୟାତ୍ମିକ ରୂପକରେ ପରିଣତ ହୋଇଯାଏ।
ସରଳ ଭାଷାରେ ଏହି ସୁନ୍ଦର ବିରୋଧାଭାସକୁ ବୁଝିବାକୁ ଗଲେ, କବିତାର ପୂର୍ବଭାଗରେ ଗଣେଶ ବାଧା, ପରେ ସେହି ଗଣେଶ ସେତୁ। ପ୍ରଥମେ ସେ ଶିବଙ୍କ ପଥ ରୋଧ କରନ୍ତି, ପରେ ଚେତନାର ଉତ୍ତରଣର ସାକ୍ଷୀ ହୁଅନ୍ତି। ଅର୍ଥାତ୍ ଯେଉଁ ବୁଦ୍ଧି ମୋହରେ ବନ୍ଧା ହେଲେ ବାଧା ହୁଏ, ସେହି ବୁଦ୍ଧି ଦିବ୍ୟ ଚେତନାର ସ୍ପର୍ଶରେ ରୂପାନ୍ତରିତ ହେଲେ ଉତ୍ତରଣର ସେତୁ ପାଲଟିଯାଏ। ‘ଉମା-ଶିବ ମିଳନର ସାକ୍ଷୀ’ ଭାବେ ଗଣେଶ ଏଠାରେ ଜୀବାତ୍ମା ଓ ପରମାତ୍ମାର ମିଳନର ମଧ୍ୟ ସାକ୍ଷୀ। ତେଣୁ କବି ଶେଷରେ ଗଜାନନଙ୍କୁ ଯେମିତି ଅନୁରୋଧ କରୁଛନ୍ତି ଏହି ଉତ୍ତରଣର ଗୂଢ଼ କାହାଣୀ ସେ ନିଜେ କହନ୍ତୁ।
ତେଣୁ ‘ଶ୍ରୀ ଗଣେଶ’ କେବଳ ଶିବ, ଉମା ଓ ଗଣେଶଙ୍କ ପୌରାଣିକ କାହାଣୀର କାବ୍ୟରୂପ ନୁହେଁ। ଏହା ଏକାଧାରରେ ପୌରାଣିକ, ମନସ୍ତାତ୍ତ୍ୱିକ, ଦାର୍ଶନିକ ଓ ଆଧ୍ୟାତ୍ମିକ ଯାତ୍ରା। ପରିଚିତ କାହାଣୀର ଆବରଣ ତଳେ ମଣିଷର ନିଜ ସହ ସଂଘର୍ଷ, ମୋହ ଓ ମୁକ୍ତିର ଦ୍ୱନ୍ଦ୍ୱ, ସୀମିତ ବୁଦ୍ଧିର ରୂପାନ୍ତରଣ ଏବଂ ଜୀବାତ୍ମାର ପରମ ସତ୍ତା ସହ ମିଳନର ଆକାଙ୍କ୍ଷାକୁ କବି ସ୍ତର ପରେ ସ୍ତର ଉନ୍ମୋଚନ କରିଛନ୍ତି।
‘ଶ୍ରୀଗଣେଶ’ ଶବ୍ଦଟି ଯେପରି ଏକ ଶୁଭାରମ୍ଭର ସୂଚନା, କବିତାରେ ମଧ୍ୟ ଗଣେଶଙ୍କ ପୁନର୍ଜୀବନ ସହ ମଣିଷର ଚେତନାର ଏକ ନୂତନ ଯାତ୍ରାର ଶ୍ରୀଗଣେଶ ହୁଏ। ବିନାୟକରୁ ଗଜାନନ, ବାଧାରୁ ସେତୁ, ମୋହରୁ ବୋଧ ଏବଂ ସୀମିତ ଚେତନାରୁ ଦିବ୍ୟ ଚେତନା ଆଡ଼କୁ ଏହି ଉତ୍ତରଣ ହିଁ ମୋ ଦୃଷ୍ଟିରେ କବିତାଟିର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ।
ଏପରି ଏକ ବହୁସ୍ତରୀୟ ରଚନା ପାଇଁ କବି ଡ଼. ଜୟକୃଷ୍ଣ ଚୌଧୁରୀଙ୍କୁ ମୋର ଅଶେଷ ଅଭିନନ୍ଦନ। କବିତାଟି କାଳଜୟୀ ହେଉ ଏବଂ ପାଠକଙ୍କୁ କେବଳ ପୌରାଣିକ କାହାଣୀର ରସାସ୍ୱାଦନରେ ସୀମିତ ନ ରଖି, ନିଜ ଅନ୍ତର୍ଜଗତକୁ ଫେରି ଦେଖିବାକୁ ଓ ନିଜ ଚେତନାର ଉତ୍ତରଣ ପଥକୁ ଖୋଜିବାକୁ ପ୍ରେରିତ କରୁ।
——–
ଉମା = ଜୀବାତ୍ମା / ସୀମିତ ମାନବ ଚେତନା/ ପ୍ରକୃତି/ ସୀମିତ ମାନବ ଚେତନାର ପ୍ରତୀକ/ ପରିବର୍ତ୍ତନଶୀଳ
ଶିବ = ଦିବ୍ୟ ଚେତନା / ଅପରିବର୍ତ୍ତନୀୟ ପରମ ସତ୍ତା
ଗୁହା = ଅନ୍ତର୍ଜଗତ / ଦେହବଦ୍ଧ ଚେତନା
ମଳ = ସଂସାରଜନିତ ଆସକ୍ତି, ଅହଂ ଓ ଅଜ୍ଞାନ
ଗଣେଶ = ସୀମିତ ବୁଦ୍ଧି, ଯାହା ମୋହରୁ ଜନ୍ମ ନେଇ ପ୍ରଥମେ ଦିବ୍ୟ ଚେତନାର ପଥ ଅବରୋଧ
ଗଣେଶଙ୍କ ଶିରଛେଦ = ପୁରୁଣା ସୀମିତ ଚେତନାର ବିନାଶ
ଗଜାନନ-ଗଜମୁଣ୍ଡ ସ୍ଥାପନ = ବୁଦ୍ଧିର ଉତ୍ତରଣ / transformed consciousness
ବାରଣ – ହସ୍ତୀ, ନିବାରଣ କରିବା, ସେତୁ
ଧୂର୍ଜଟୀ – ଶିବ









Prof Pravat Kumar Parhi
09/29/2026Excellent poem is composed by Dr J K Chowdhury about Shri Ganesh and critical analysis is made by Madam Manorama. Liked her Odia analysis very much .
Manorama
09/29/2026Thank you and much regards.