ଗତ ଦୁଇ ଥର ଭାରତ ଗସ୍ତରେ ଗଲା ବେଳେ ମୋର ଭାତୃତୁଲ୍ୟ ଗୁରୁ, ଡ଼. ଜୟକୃଷ୍ଣ ଚୌଧୁରୀ ମୋତେ ଓଡ଼ିଆ ଭାଷାରେ ରଚିତ ଅନେକ ଅମରକୃତି ଉପହାରରେ ଦେଇଥିଲେ । ଜୀବନ ଜଞ୍ଜାଳରୁ କିଛି ଦିନ ବିରତି ନେଇ, ଗଲା ସପ୍ତାହରେ ସପରିବାର ବୁଲି ଗଲାବେଳେ, ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କର ‘କୃଷ୍ଣାବେଣୀରେ ସନ୍ଧ୍ୟା’ ଉପନ୍ୟାସଟିକୁ ସାଙ୍ଗରେ ନେଇଥିଲି । ଛଅ ଘଣ୍ଟାର ଯାତ୍ରା ଉଡ଼ାଜାହାଜରେ ବସି ସମୟ କାଟିବା ଅସହନୀୟ କିନ୍ତୁ ବହିଖଣ୍ଡେ ସାଥିରେ ଥିଲେ ସମୟ ଜଣା ପଡ଼େନି । କୃଷ୍ଣାବେଣୀରେ ସନ୍ଧ୍ୟା – ବହିର ନାଁ ଟି ଭାରି ରୋମାଞ୍ଚକର । ବିନା ପୃଷ୍ଠା ଓଲଟାଇ ପ୍ରଥମେ ଆକଳନ କରିନେଲି ନିଶ୍ଚୟ ରମଂସକ କାହାଣୀଟିଏ ହେଇଥିବ । କିନ୍ତୁ ଯେତେବେଳେ ପୃଷ୍ଠା ପରେ ପୃଷ୍ଠା ପଢ଼ି ଚାଲୁଥିଲି ଜାଣି ପାରୁଥିଲି ଇଏ ଏକ ଇତିହାସର କାଳଖଣ୍ଡ । ସରଳ ସାବଲୀଳ ଭାଷାର ପ୍ରୟୋଗ ହେଲେ ବି ତା’ସହ ଅନୁପମ ଉପମାର ପ୍ରୟୋଗ ରହିଛି ଯାହାକି ଏହି ଐତିହାସିକ ଉପନ୍ୟାସଟିକୁ ଅତି ଉଚ୍ଚକୋଟୀର କରିଛି ଏବଂ ଅତୀତର ଇତିହାସ ଜାଣିବାର ଜିଜ୍ଞାସା ପାଠକର ମନପ୍ରାଣକୁ ଟାଣି ଧରିଛି ଶେଷ ପୃଷ୍ଠା ଯାଏଁ ପଢ଼ି ନେବାକୁ । ଏଭଳି ପୁସ୍ତକର ସମୀକ୍ଷା ଅବା ଟୀକ୍କା ଟିପ୍ପଣୀ କରିବା ମୋର ସାମର୍ଥ୍ୟ ବାହାରେ । ସେଥିରେ କୌଣସି ଦ୍ବିମତ ନାହିଁ । କିନ୍ତୁ ଇତିହାସର ପୃଷ୍ଠାରୁ ଏହି ଘଟଣା ଗୁଡ଼ିକୁ ମୁଁ ନିଜେ ଭୁଲି ନ ଯିବା ପାଇଁ ଅଳ୍ପ କେତୋଟି ଧାଡ଼ିରେ ତା’ର ଏକ ସଂକ୍ଷିପ୍ତ ବିବରଣୀ ଏଠାରେ ଲେଖି ରଖିଛି ।                                                                                                                                                                                ବହିଟିର ପୃଷ୍ଠଭୂମିରେ ଷୋଡ଼ଶ ଶତାବ୍ଦୀର ଆଦ୍ୟ ଭାଗରେ କଳିଙ୍ଗ ସାମ୍ରାଜ୍ୟ ଏବଂ ତାର ସମ୍ରାଟ ଶ୍ରୀ ପ୍ରତାପରୁଦ୍ରଦେବ । ଅନ୍ୟ ମୁଖ୍ୟ ଚରିତ୍ର ହେଲେ ବିଜୟନଗରର ରାଜା କୃଷ୍ଣଦେବ ରାୟ । ଉପନ୍ୟାସଟିର ବର୍ଣ୍ଣନାଚାତୁରୀରେ ଲେଖକ ଉଭୟ ସାମ୍ରାଜ୍ୟର ପୂର୍ବ ପୀଢ଼ିର ଏକ ସଂକ୍ଷିପ୍ତ ବିବରଣୀ ସହ ସେମାନଙ୍କ ମଧ୍ୟରେ ଯୁଦ୍ଧ ଓ ସନ୍ଧି ବିବାହ ଆଦିର ବିବରଣୀ ଦେଇଛନ୍ତି । ଅନ୍ୟ ପାର୍ଶ୍ୱ ଚରିତ୍ରମାନେ ଯାହାର କାହାଣୀରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ସେମାନେ ହେଲେ ପ୍ରତାପରୁଦ୍ର ଦେବଙ୍କ ରଣକୌଶଳୀ ବୀର ଯୋଦ୍ଧା ପୁତ୍ର ବୀରଭଦ୍ର ଦେବ ଏବଂ କନ୍ୟା ଜଗନ୍ମୋହିନୀ । ଅନ୍ୟ ପାର୍ଶ୍ୱରେ କୃଷ୍ଣଦେବ ରାୟଙ୍କର କୂଟନୀତିରେ କୌଶଳ ମହା ଅମାତ୍ୟ ତିମିରସୁ ଏବଂ ରାଜଗୁରୁ ବ୍ୟାସତୀର୍ଥ । ଅନ୍ୟ କେତେଜଣ ଦଳବେହେରା ବା ସାମନ୍ତ ରାଜାମାନଙ୍କ ଭିତରେ ଉଦୟଗିରି ଦୁର୍ଗର ପ୍ରତିପୋଷକ ତିରୁମଲ୍ଲ ରାୟଙ୍କ ନାମ ଉଲ୍ଲେଖନୀୟ । ସେ ଥିଲେ ଦାକ୍ଷିଣାତ୍ୟରେ ପ୍ରତାପରୁଦ୍ର ଦେବଙ୍କର ଦକ୍ଷିଣ ହସ୍ତ ।

                                      ନାଗମାମ୍ବା, ଆଉ ଏକ ପାର୍ଶ୍ଵ ଚରିତ୍ର କାହାଣୀରେ ଯାହାର ଭୂମିକା ସ୍ୱଳ୍ପ ହେଲେ ମଧ୍ୟ ମାନସିକ ସ୍ତରରେ ବିଶେଷ ମାନ୍ୟତା ରଖେ । ସେ ହେଉଛନ୍ତି ଜଗନ୍ମୋହିନୀଙ୍କର ବୀଣା ବାଦନର ଶିକ୍ଷୟତ୍ରୀ । ଯଦି ସେ ଦିନ ତାଙ୍କ ବୀଣା ବାକ୍ସରୁ ସେହି କୃଷ୍ଣଦେବ ରାୟଙ୍କ ଚିତ୍ରପଟ ଭୁଲରେ ଖସି ପଡ଼ି ନଥାନ୍ତା ଏବଂ ତାକୁ ଦେଖି ଜଗନ୍ମୋହିନୀଙ୍କ ହୃଦୟରେ ସେ ଘର କରି ନଥାନ୍ତେ, ତା’ହେଲେ ତାଙ୍କ ବିବାହିତ ଜୀବନ ହୁଏତ ଅନ୍ୟ ଗତି ଧରିଥାନ୍ତା । ନିଜ ଇପ୍ସିତଙ୍କୁ ସାଧାରଣ ପ୍ରେମୀ ରୂପେ ପାଇବା ଏବଂ ଯୁଦ୍ଧର ସନ୍ଧିରେ ପତି ରୂପେ ପାଇବା ଏକା କଥା ନୁହେଁ । ନାଗମାମ୍ବାଙ୍କ ଠାରୁ ଥରେ ଶୁଣିଥିଲେ କୃଷ୍ଣଦେବ ରାୟ କାଳେ କୃଷ୍ଣାବେଣୀରେ ନୌକା ବିହାର ପାଇଁ ଆସନ୍ତି । କୁମାରୀ ମନରେ ଅଦେଖା ବନ୍ଧନର ଅସୁମାରୀ ଆକର୍ଷଣ । ରାଜ ପ୍ରାସାଦର ସୁଖ ତ୍ୟାଗ କରି କୋଣ୍ଡାବିଡ଼ୁରେ କୁମାର ବୀରଭଦ୍ରଙ୍କୁ ସାହାଯ୍ୟ କରିବା ଆଳରେ ସେ ଆସିଥିଲେ କୃଷ୍ଣାବେଣୀରେ କୃଷ୍ଣଦେବ ରାୟଙ୍କୁ ଭେଟିବା ଆଶା ନେଇ । ମନରେ ଦ୍ୱନ୍ଦ୍ୱ ଥିଲା ଜଣେ ପିତାଙ୍କର ଶତ୍ରୁ ପାଇଁ ଏଭଳି ଆକର୍ଷଣ ଉଚିତ ବା ଅନୁଚିତ । ପ୍ରତ୍ୟେକ ସାମ୍ରାଜ୍ୟ ପଛରେ ରାଜନୀତି, ରଣନୀତି ଓ କୂଟନୀତି ଖୁନ୍ଦି ଖୁନ୍ଦି ହେଇ ଭରି ରହିଥାଏ । ରାଜପ୍ରାସାଦ ମାନଙ୍କର ଇଟା, ପଥର, କାନ୍ଥ, ପ୍ରାଚୀର ହୁଏତ ଯୁଗେ ଯୁଗେ ସାହାସିକତା ଓ ବିଶ୍ୱାସଘାତକତା ଉଭୟର ମୁକ ସାକ୍ଷୀ ରହିଥିବେ । ଇତିହାସର ସଦା ପୁନରାବୃତ୍ତି ହୁଏ । ସିଂହାସନ ପ୍ରାପ୍ତି ଅବା ରାଜ୍ୟର ସୀମା ବିସ୍ତାର ପଛରେ ଉଭୟ ନ୍ୟାୟ ଓ ଅନ୍ୟାୟ ଦାୟୀ । ଯୁଦ୍ଧର କରାଳ ବିଭୀଷିକାରେ ନିରପରାଧ ଲହୁର କରୁଣ କାହାଣୀ ସଦା ଲହୁରେ ଲେଖା ହୁଏ ।   

                   କଳିଙ୍ଗର ଅନେକ ଦୁର୍ଗ ପ୍ରାକୃତିକ ଘଞ୍ଚ ଜଙ୍ଗଲ, ପାହାଡ଼ ଓ ନଦୀ  ଦ୍ୱାରା ସୁରକ୍ଷିତ ଥିଲା । ସେଥି ମଧ୍ୟରୁ ଉଦୟଗିରି ଦୁର୍ଗ ଅନ୍ୟତମ ।  ଏହାର ଧ୍ବଜା ତିରୁମଲ୍ଲଙ୍କ ନେତୃତ୍ୱରେ ବଜାୟ ରହି ଥିଲା ଯେ ପର୍ଯ୍ୟନ୍ତ ତିମିରସୁ ବାହାରେ ଛାଉଣୀ ଧରି ବର୍ଷେ  ଯାଏଁ ଦୁର୍ଗକୁ ଘେରାଉ କରି ନଥିଲା । ଦୁର୍ଗକୁ ସମସ୍ତ ରାସ୍ତା ବନ୍ଦ ରହିବା ହେତୁ ଦୁର୍ଗ ଭିତରେ ଖାଦ୍ୟ ପେୟର ଘୋର ଅଭାବ ଅନାଟନ ହେବାରେ ଲାଗିଲା । ଇତିହାସ ପୃଷ୍ଠାରେ ଉଲ୍ଲେଖ ଅଛି ସେ ସମୟରେ ପ୍ରାୟ ଦଶ ବର୍ଷ ଧରି ଅକାଳ ମରୁଡ଼ି ପଡ଼ିଥିଲା । ତଥାପି ପ୍ରତାପରୁଦ୍ର ଦେବ ରାଜ୍ୟବାସୀଙ୍କ ଠାରୁ ଯାହା ପାଉଣା ପାଇଥିଲେ ସେଥିରେ ଖାଦ୍ୟ ଦ୍ରବ୍ୟ ନେଇ ଉଦୟଗିରିକୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ସମୟରେ ପହଞ୍ଚିବା ପୂର୍ବରୁ ପ୍ରାଣ ବିକଳରେ ସୈନ୍ୟମାନେ ନା ଦୁର୍ଗ ଛାଡ଼ି ଯାଇ ପାରିଲେ ନା ଖାଦ୍ୟ ବିନା ନିଜକୁ ବଂଚେଇ ରଖି ପାରିଲେ । ଦୁର୍ଗ ଅବରୁଦ୍ଧ କରି ତିମିରସୁ ହାତରେ ନ ମାରି ଭାତରେ ମାରିବାକୁ ସମସ୍ତ ଉପାୟ କରି ନେଇଥିଲା । ବିନା ଯୁଦ୍ଧରେ ଟଳି ପଡ଼ିଥିବା ସୈନ୍ୟ ମାନଙ୍କୁ ଶେଷକୃତ୍ୟ କରିବା ପାଇଁ ମଧ୍ୟ କାହାର ବଳ ନଥିଲା ଏବଂ ଚିଲ ଶାର୍ଗୁଣାମାନେ ପଞ୍ଜରାହାଡ଼ରୁ ରାମ୍ପିଝାମି ଅବଶେଷ ଲାଗି ରହିଥିବା ଶରିରୀର ମାଂସ ଟିକକକୁ ବାଦ ଦେଇ ନଥିଲେ । ତଥାପି ତିରୁମଲ୍ଲ ରାୟଙ୍କର ସ୍ୱାଭିମାନ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ ଅନୁମତି ଦେଇ ନଥିଲା । ଫଳତଃ ଦୁର୍ଗ ଅକ୍ତିଆର କରିବା ପରେ ତିମିରସୁ ତାଙ୍କର ଶିରୋଛେଦନର ଆଦେଶ ଦେଇଥିଲେ । ସେ ଥିଲା ହୁଏତ କଳିଙ୍ଗର ପ୍ରଥମ ପତନ।(1512 AD).                                                                                                                                                                                                              କୃଷ୍ଣାବେଣୀର ନିକଟରେ ଥିବା କୋଣ୍ଡାବିଡ଼ୁ କଳିଙ୍ଗ ସାମ୍ରାଜ୍ୟର ଅନ୍ୟ ଏକ ଦୁର୍ଗମ ଦୁର୍ଗ ଯାହାର ସୁରକ୍ଷା ଭାର ଥିଲା କୁମାର ବୀରଭଦ୍ରଙ୍କ ଅଧୀନରେ । ଦୁର୍ଗର ତିନି ପାର୍ଶ୍ବରେ ଘଞ୍ଚ ଅରଣ୍ୟ ଏବଂ ପୂର୍ବ ଦିଗରେ କୃଷ୍ଣାବେଣୀ । ଉଦୟଗିରି ଉପଲକ୍ଷେ ଆଣିଥିବା ଖାଦ୍ୟ ସାମଗ୍ରୀ ବର୍ତ୍ତମାନ କୋଣ୍ଡାବିଡ଼ୁରେ ପହଞ୍ଚିଥିଲା । ଯୁଦ୍ଧ କୌଶଳରେ ବୀରଭଦ୍ର ଥିଲେ ଜଣେ ନିପୁଣ ଯୋଦ୍ଧା ତେଣୁ ତିମିରସୁ ଜାଣିଥିଲେ ସିଧା ସଳଖ ଭାବେ କୋଣ୍ଡାବିଡୁ ଜିତିବା ସମ୍ଭବ ନୁହେଁ । ଯଦିଚ କୁମାର କେବେ କୌଣସି ଯୁଦ୍ଧରେ ପରାସ୍ତ ହୋଇ ନଥିଲେ କିନ୍ତୁ ତିମିରସୁଙ୍କ ତୀକ୍ଷ୍ଣ ବୁଦ୍ଧି ଓ କୁଟିଳ ନୀତି ସହ ପରିଚିତ ନଥିଲେ । ନିଦ୍ରିତ ରାତିର ନିଷ୍ପ୍ରଦୀପ ଦୁର୍ଗକୁ କୃଷ୍ଣାବେଣୀର ସୁଡ଼ଙ୍ଗ ବାଟଦେଇ ତିମିରସୁ ପୂର୍ବ ଦ୍ୱାରରୁ ଆକ୍ରମଣ କରିଥିଲେ କୋଣ୍ଡାବିଡ଼ୁ ଦୁର୍ଗ । କିନ୍ତୁ କୃଷ୍ଣଦେବ ରାୟଙ୍କୁ କହିଥିଲେ ଅନ୍ୟ ଦୁଇ ଦ୍ୱାର ଯେଉଁଠି ଯୁଦ୍ଧର କେହି ଆଶା କରି ନଥିବେ ସେପାଖୁଁ ବିଜୟନଗର ସେନା ନେଇ ଆକ୍ରମଣ କରିବା ପାଇଁ ଯାହାକି ନିଜ କ୍ଷତିରେ ମତିଭ୍ରମ ଉପୁଜେଇବାର ଏକ ସଫଳ ଉଦ୍ଦେଶ୍ୟ । ତଥାପି କଳାଘୋଡ଼ା ଚଢ଼ି କାଳବୈଶାଖୀ ପରି ବୀରଭଦ୍ର ଲଢ଼ିଥିଲେ ରଣପ୍ରାଙ୍ଗଣରେ । କିନ୍ତୁ ଏଭଳି ଅର୍ଦ୍ଧରାତ୍ରିର ଅପ୍ରତ୍ୟାଶିତ ଆକ୍ରମଣରେ ପରାସ୍ତ ହେବାକୁ ସେ ବାଧ୍ୟ ହୋଇଥିଲେ । ତାଙ୍କର ଯୁଦ୍ଧ କୌଶଳରେ ପ୍ରୀତ ହେଇ କୃଷ୍ଣଦେବ ରାୟ ଯୁଦ୍ଧରେ ଜୟ ଲାଭ କଲାପରେ ମଧ୍ୟ କୁମାରଙ୍କ ଶିରଚ୍ଛେଦ ନ କରି ବନ୍ଦୀ କରିବାକୁ ଆଦେଶ ଦେଇଥିଲେ । 

                        ସେଠାରେ ଜଗନ୍ମୋହିନୀ ଦେଶାଭିମାନର ଉଦାହରଣ ହେଇ ଉଭାହେଇଥିଲେ ଓଡ଼ିଆଣୀ ସୁନା ପାତିଆ ଧରି କୁମାର ଆଉ କୃଷ୍ଣଦେବ ରାୟଙ୍କ ମଝିରେ ।  କିନ୍ତୁ କଠୋର ହୃଦୟ ଥିବା କୃଷ୍ଣଦେବ ରାୟଙ୍କ କୋମଳ ହାତମୁଠାରେ ସେ ନିଜକୁ ହାରି ଥିଲେ । ମନରେ ଆହୁରି ଅଭିମାନ ହେଇଥିଲା ଯେତେବେଳେ ସେ ବନ୍ଦୀଭାବେ ପଠା ନଯାଇ ତାଙ୍କୁ ପ୍ରତାପରୁଦ୍ରଦେବଙ୍କ ପାଖକୁ ପାଠା ଯାଇଥଲା ତିମିରସୁଙ୍କ ଆଦେଶରେ । ତାର ଉଦ୍ଦେଶ୍ୟ ସେ ବୁଝିଥିଲେ ପରବର୍ତ୍ତୀ ସମୟରେ ଯେତେବେଳେ ସନ୍ଧି ସର୍ତ୍ତ ପ୍ରସ୍ତାବ ନେଇ ବ୍ୟାସତୀର୍ଥ ଓ ତିମିରସୁ ଆସିଥିଲେ । ଦୁଇ ହିନ୍ଦୁ ରାଷ୍ଟ୍ର ଭିତରେ ବନ୍ଧୁତ୍ୱ ସ୍ଥାପନ ନିହାତି ଆବଶ୍ୟକ ଏବଂ ତାର ପରିଣାମରେ କୃଷ୍ଣଦେବ ରାୟଙ୍କୁ ସେ ବିବାହ କରିବାପାଇଁ ବିବଶ ହୋଇ ପଡ଼ିଥିଲେ । ଜଣେ ସ୍ୱାଭିମାନୀ ନାରୀର ସର୍ବସ୍ବ ସେଦିନ ଲୁଟି ଯାଇଥିଲା ବିନା ଶବ୍ଦରେ, ଅନାୟାସରେ । କି ଲାଞ୍ଚନା ଓ ଅପମାନ, ପ୍ରେମ ଓ ଅନୁରାଗର ଏ କି ସ୍ୱପ୍ନଭଙ୍ଗ । ଯାହାକୁ ପାଇବା ପାଇଁ ମନର ଆକୁଳତା ପାଇବା ପରେ ଦେହ ମନକୁ  ଜାଳିପୋଡ଼ି ଦେଇଛି । ବିଧିର ଏ କି ବିଡମ୍ବନା । ବାସର ରାତ୍ରିର ମଧୁଶଯ୍ୟାରେ ନିଜ ସ୍ୱପ୍ନର ସୌଦାଗରକୁ ସ୍ଥାନ ଦେଇ ନପାରି କୃଷ୍ଣଦେବ ରାୟଙ୍କୁ ଶୁଣାଇ ଦେଇଥିଲେ ଚେତାବନୀ- ପ୍ରତାପରୁଦ୍ରଙ୍କର ସପ୍ତାଙ୍ଗ ଜିତିଥିଲେ ମଧ୍ୟ ସେ ଜଗନ୍ମୋହିନୀଙ୍କ ହୃଦୟ ଜିତିବାରେ ଅକ୍ଷମ। ବନ୍ଦୀ ଥିବା ସମୟରେ ବୀରଭଦ୍ରଙ୍କୁ ସାମାନ୍ୟ ଏକ ସୈନ୍ୟ ସହ ଖଡଗ ଚାଳନ କୌଶଳ ଦର୍ଶାଇବା ଆହ୍ଵାନରେ ସେ ନିଜର ଅପମାନ ଓ କଳିଙ୍ଗର ଅଭିମାନକୁ ବଞ୍ଚାଇବାକୁ ଯାଇ ସେ ନିଜ ତରବାରୀରେ ବିନ୍ଧି ଦେଇଥିଲେ ନିଜ ଛାତି । ସେ ଥିଲା ତାଙ୍କ ଦୁର୍ଜୟ ସ୍ୱାଭିମାନର ସ୍ଵାକ୍ଷର ।  

                             ୟା ଭିତରେ ଶୋକାକୁଳ ପାଞ୍ଚ ବର୍ଷ ବିତି ଗଲାଣି । ବର୍ଷ ବର୍ଷ ଧରି ଦୁର୍ଭିକ୍ଷ ମରୁଡ଼ି ଓ ବାହମନୀ ରାଜା, ବଙ୍ଗଳାର ନବାବ ଓ ବିଜୟନଗର ସହ ବର୍ଷ ବର୍ଷ ଧରି ଯୁଦ୍ଧ, କନ୍ୟାର ଉପେକ୍ଷିତ ଦାମ୍ପତ୍ୟ ଜୀବନ, ପୁତ୍ରର ଆତ୍ମାହୁତି ଏ ସବୁ ଯେପରି କଳିଙ୍ଗର ମହାପ୍ରତାପୀ ପ୍ରତାପରୁଦ୍ରଙ୍କୁ ନିଶ୍ବ କରିଦେଇଥିଲା । ତାଙ୍କ ସାମ୍ରାଜ୍ୟ, ମହାସାମ୍ରାଜ୍ୟର ନିଶା ମିଳିଯାଇଥିଲା ଧୂଳିରେ । ମନେ ପଡୁଥିଲା ଦିନେ ରୂପନାରାୟଣ ନଦୀ ତୀରରେ ଜଣେ ଗେରୁଆ ବସ୍ତ୍ରଧାରୀ ଲଣ୍ଡିତ ମସ୍ତକ ଥିବା ପ୍ରମତ୍ତ ସନ୍ୟାସୀଙ୍କୁ ଭେଟିଥିବା କଥା । ସେ ଥିଲେ ଚୈତନ୍ୟ ମହାପ୍ରଭୁ ଯାହାଙ୍କ ପାଦତଳେ ସମର୍ପଣ କରିବା ପାଇଁ ଦିନେ ରାୟରାମାନନ୍ଦ ଶୁଣାଇ ଦେଇଥିଲେ “ସୈନ୍ୟମାନଙ୍କର ଅନେକ ଶୋଣିତ ରକ୍ତଲିପ୍ତ ଖଡଗ ଗୋଦାବରୀ ଜଳରେ ଧୋଇଛି ମହାରାଜ । ଆଉ ନୁହେଁ । ଯୁଦ୍ଧ ଆଉ ମୋର ସ୍ବଧର୍ମ ନୁହେଁ । ମୋର ପରିଚୟ ସାଧନାର ସାଥି ।” ପ୍ରତାପରୁଦ୍ର ଯାହାକୁ ଦିନେ ପ୍ରଗଳ୍ଭ ପ୍ରଳାପ କହିଥିଲେ ଆଜି ସେ ନିଜେ ସେହି ପଥ ଅନୁସରଣ କରିବାକୁ ପଥ ଖୋଜୁଥିଲେ । ଅନେକ ଚେଷ୍ଟା ମଧ୍ୟ କରିଛନ୍ତି ସେହି ସନ୍ୟାସୀଙ୍କ ସାନ୍ନିଧ୍ୟ ଲାଗି କିନ୍ତୁ ଯେଉଁ ଦିନ ତାଙ୍କ ଭେଟିବାର ମାହେନ୍ଦ୍ର ମୁହୂର୍ତ୍ତ ଆସିଥିଲା ସେଦିନ ଶ୍ରୀ ଚୈତନ୍ୟ ମହାପ୍ରଭୁ ବଡ଼ ଠାକୁର ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ଲୀନ ହେଇ ଯାଇଥିଲେ । ସେଦିନ ପ୍ରତାପରୁଦ୍ରଙ୍କ ଅନ୍ତର, ଆକୁଳ ଆବେଗରେ ବିକ୍ଷୁବ୍ଧ ସମୁଦ୍ରର ଉଦ୍ବେଳନ ତୋଳୁଥିଲା । ହଜି ଯାଉଥିଲା ତାଙ୍କ ସତ୍ତା ନୀଳ ମରୀଚିକା ଭିତରେ ।

   ଆଜିର ଘଟଣା କାଲି ପାଇଁ ଇତିହାସ । ଘଟି ଯାଇଥିବା ଘଟଣା ଗୁଡ଼ିକର ଶତାବ୍ଦୀ ଶତାବ୍ଦୀ ପରେ ରଚିତ ଏହି ଐତିହାସିକ ଉପନ୍ୟାସ, ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ‘କୃଷ୍ଣାବେଣୀ ରେ ସନ୍ଧ୍ୟା’ । ତା’ର ମୁଁ  ଜଣେ କେବଳ ଏକ ମୁଗ୍ଧ ପାଠିକା ଭୂମିକାରେ । ଇତିହାସର ଘଟଣା ଗୁଡ଼ିକ ନାଟକର ଭିନ୍ନ ଭିନ୍ନ ଦୃଶ୍ୟ ପରି ନାଟକୀୟ ଭଙ୍ଗୀରେ ମନ ଭିତରେ ପରିବେଶିତ ହେଇ ଚାଲିଥିଲେ । ମୁଁ ବୁଝିବାକୁ ଚେଷ୍ଟା କରୁଥିଲି ନାଟକର କେଉଁ ଚରିତ୍ରକୁ ଅଧିକା ସହାନୁଭୂତି ଜଣାଇବି । ଆମ ଯାତ୍ରା ଆରମ୍ଭରେ ଉଦଜାହାଜରେ ବସି ବହିଟିକୁ ପଢ଼ିବା ଆରମ୍ଭ କରିଥିଲି ନିଶ୍ଚୟ କିନ୍ତୁ ଶେଷ ପୃଷ୍ଠା ପଢ଼ା ସରିଥିଲା କାନାଡ଼ାର Banff ନାମକ ଏକ ଛୋଟିଆ ପାହାଡ଼ିଆ ସହର ମଝିରେ ବହିଯାଉଥିବା Bow River କୂଳରେ । ପଢ଼ି ସାରିବା ପରେ କିଛି ସମୟ ଆଖି ବୁଜି ବସି ରହିଥିଲି ଜକେଇ ଆସିଥିବା ଲୁହ ଟିକକ ଲୁଚାଇବା ଚେଷ୍ଟାରେ । ପାଦ ତଳେ କୁଳୁକୁଳୁ ନାଦରେ ବହିଯାଉଥିଲା Bow ନଦୀ । ଜଗନ୍ମୋହିନୀ ଓ କୃଷ୍ଣଦେବ ରାୟ ଉଭୟେ ସଙ୍ଗୀତର ପ୍ରତିପୋଷକ ଓ ନିପୁଣ ଵୀଣା ବାଦକ । ମନ ସ୍ୱପ୍ନ ବୁଣୁଥିଲା ଆହା, ଦୁହିଁଙ୍କର ମିଳନ ଯଦି କୃଷ୍ଣାବେଣୀରେ କେଉଁ ଏକ ସନ୍ଧ୍ୟାରେ ନୌକା ବିହାର ବେଳେ ଦେଖା ହୋଇଥାନ୍ତା ତେବେ ହୁଏତ କଳିଙ୍ଗ ସାମ୍ରାଜ୍ୟରେ ସନ୍ଧ୍ୟା କୃଷ୍ଣାବେଣୀରେ ହେଇ ନଥାନ୍ତା । ଯଦି କୃଷ୍ଣାର ସ୍ରୋତବେଣୀରେ ଉଭୟଙ୍କ ହେଇଥାନ୍ତା ଅଜ୍ଞାତ ଅଭିସାର, ହୁଏତ ହୃଦତନ୍ତ୍ରୀରେ ବାଜି ଉଠୁଥାନ୍ତା ବୀଣାର ଝଙ୍କାର ! କିଏ କହି ପାରିବ ସେ ନାଟକର ଯବନିକା କେଉଁଠି ପଡ଼ିଥାନ୍ତା ।

Aug 14th 2024                                                                                                                                                                                                            

 

 

 

What do you think?

Your email address will not be published. Required fields are marked *

12 Comments
  • Biraja Mahapatra
    10/05/2024

    Your views are original. Too good.

    • Manorama Choudhury
      10/05/2024

      Biraja bhai, so kind of you! At some point I will add to my posts what I wrote for your ‘Saria Nani’ otherwise that will get lost on the Facebook wall.

  • Dhirendra Kar
    10/06/2024

    Excellent write up and review Manorama . If possible read it on your voice please . Keep up the love for the literature.

    • Manorama Choudhury
      10/07/2024

      Thank you so much. I will try to make a voice memo when I get a chance. In the meantime, please feel free to forward this to anyone who may enjoy this write-up.

  • Gagan Behari Panigrahi
    10/06/2024

    ପଢିଲି, ପଢିବାକୁ ବେଶ୍‌ ଭଲଲାଗିଲା, ଜାଣିଲି, ଅଧିକ ଜାଣିବାକୁ ଇଚ୍ଛାହେଲା, ପଢିବି “କୃଷ୍ଣା ନଦୀରେ ସଂଧ୍ୟା” ବହୁତ ଧନ୍ୟବାଦ।

    • Manorama Choudhury
      10/07/2024

      Thank you Gagan bhaina. You will enjoy this book for sure.

  • Subasini Barik
    10/09/2024

    Beautiful depiction of your feelings while visualising the the characters of Krushna benire Sandhya. Very nice. Thanks for sharing 🙏

    • Manorama Choudhury
      10/11/2024

      Much appreciated. Please feel free to explore other posts as well. 🌺

  • KRISHNA AICH
    10/14/2024

    ଗଜପତି ଯୁଗର ଶେଷ କାଳଖଣ୍ଡ ର‌ ଘଟଣା ଦୁର୍ଘଟଣା ଉତ୍କଳ ସାମ୍ରାଜ୍ୟ ର ପତ୍ତନ ର ଆଭାସ ଦେଇଥିଲା।
    କୃଷ୍ଣ।ବେଣୀରେ ସନ୍ଧ୍ୟା ସେଇ ସମୟର ଦୁଃଖଦ ଇତିହାସ ର ପ୍ରତିଫଳନ।
    ଉତ୍କଳ ସାମ୍ରାଜ୍ୟ ର ଲୁପ୍ତପ୍ରାୟ ବିବରଣୀର କିଛିକିଛି କଥାବସ୍ତୁକୁ ଆପଣ
    ମନେ ପକାଇ ଦେଇ ଥିବାରୁ ଆମେ କୃତଜ୍ଞ।
    ପରବର୍ତ୍ତୀ କାଳଖଣ୍ଡ ୧୫୬୮ ରୁ ୧୯୪୭ ପ୍ରାୟ ୪୦୦ ବର୍ଷ ଓଡ଼ିଆ ଜାତି
    ଗୋଲାମୀ ର ପରିଚୟ‌ ପାଇଥିଲା।
    ୭୫ ବର୍ଷ ବୟସରେ ସେହି ଇତିହାସ କୁ ମନେ ପକାଇ କେବଳ କାନ୍ଦେ ସିନା ….

    • Manorama Choudhury
      10/15/2024

      ଶ୍ରୀ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରାୟ ସମସ୍ତ ରଚନା ଇତିହାସର କାଳଖଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ପାଠକୀୟ ପ୍ରୋତ୍ସାହନ ଲାଗି ଅଶେଷ ଧନ୍ୟବାଦ !

  • Dr. Rabindra Kumar Das
    01/12/2025

    ପ୍ରଖ୍ୟାତ ଔପନ୍ୟାସିକ ତଥା କଥାଶିଳ୍ପୀ ସୁରେନ୍ଦ୍ର ମହାନ୍ତିଙ୍କ ଐତିହାସିକ ଉପନ୍ୟାସ ‘ କୃଷ୍ଣା ବେଣୀରେ ସନ୍ଧ୍ୟା ‘ ର ଏ ସୁନ୍ଦର ସମୀକ୍ଷା ଅନନ୍ୟ ଏବଂ ଜୀବନ୍ତ, ଏହାର ଉପସଂହାର ମଧ୍ୟ ହୃଦୟସ୍ପର୍ଶୀ l ଅସରନ୍ତି ଶୁଭେଚ୍ଛା l

    • Manorama Choudhury
      01/13/2025

      ସାର, ପାଠକୀୟ ପ୍ରୋତ୍ସାହନ ପାଇଁ ଅଶେଷ କୃତଜ୍ଞତା ଜଣାଉଛି | ଏଭଳି ଆଶୀର୍ବାଦ କରୁଥାନ୍ତୁ ସାହିତ୍ୟ ପଥରେ ଅଗ୍ରସର ହେବାପାଇଁ | ପ୍ରଣାମ !