A LITTLE OF MY STORY
ବାହାରକୁ ବୁଲିଗଲେ ଆଉ କିଛି ସାମାନପତ୍ର ନିଏ ବା ନ ନିଏ କିନ୍ତୁ ବହି ଖଣ୍ଡେ ହାତମୁଣାରେ ଗୁଂଜି ଦେବାକୁ କେବେବି ଭୁଲେ ନାହିଁ । ସତସଙ୍ଗ ଥିଲେ ନିର୍ଜନତା ବୋଧ କମ ହୁଏ । ନିତି ଦିନିଆ ଜଞ୍ଜାଳରେ ଏକାଗ୍ର ଚିତ୍ତରେ ପଢ଼ିବା ସମ୍ଭବ ହୁଏନା । ତେଣୁ ଅଳ୍ପ ଦିନ ହେଉ କି ବେଶି ଯଦି ସହର ବାହାରକୁ ଯିବାର ହୁଏ ଆଉ ବୁଲାବୁଲିରେ ମନ ନ ଲାଗେ, ସମୟ କାଟିବାକୁ ବହିଠୁ ବଳି ସତସଙ୍ଗ କଣ ବା ହେଇ ପାରେ ? ଗତ ଥର କାନାଡ଼ାର ‘ସହସ୍ର ଦ୍ଵୀପ’ (1000 Islands) ଭ୍ରମଣ ବିଷୟରେ ଲେଖିଲାବେଳେ ପାଠକଙ୍କୁ ପ୍ରତିଶ୍ରୁତି ଦେଇଥିଲି ସାଥିରେ ନେଇଥିବା ବହିଟି ବିଷୟରେ କିଛି ଲେଖିବା ପାଇଁ ।

ଅଳ୍ପ କେଇ ମାସ ତଳେ ଜଣେ ବୟୋଜ୍ୟେଷ୍ଠ, ଅବସରପ୍ରାପ୍ତ ମନୋବିଜ୍ଞାନର ପ୍ରାଧ୍ୟାପକ, ଡ଼. ଅର୍ଜୁନ ପୁରୋହିତଙ୍କ ସହ ମୋର ସମ୍ପର୍କ ଯୋଡ଼ି ହେଇଥିଲା ‘ଅଷ୍ଟନାୟିକା’ ପୁସ୍ତକ ଚର୍ଚ୍ଚାକୁ ନେଇ । ଡାକରେ ବହିଟିକୁ ପାଇବାପରେ ସେ ମୋତେ ପ୍ରଶଂସା ପତ୍ରଟିଏ ଇ-ଡାକରେ ପଠାଇଥିଲେ । ସେଠାରୁ ଆମର ପରିଚୟର ଶୁଭାରମ୍ଭ ହେଇଥିଲା । ଧୀରେ ଧୀରେ ଆମର ସମ୍ପର୍କର ଘନିଷ୍ଠତା ସ୍ନେହର ସେତୁ ଦେଇ ଗଭୀର ଆତ୍ମୀୟତାରେ ପରିଣତ ହେବାକୁ ଲାଗିଲା । ସମ୍ପର୍କ ଯେତେ ଗାଢ଼ ହେବାରେ ଲାଗିଲା, ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟିବା ପାଇଁ ସେତେ ଅଧିକ ମନ ବଳିଲା । ତେଣୁ ଦିନେ ସନ୍ଧ୍ୟାରେ ଆମେ ସ୍ୱାମୀ ସ୍ତ୍ରୀ ଦିହେଁ ଗପ ହେଉ ହେଉ ହଠାତ୍ ଅର୍ଜୁନ ମଉସାଙ୍କୁ ଭେଟିବାକୁ ଯିବାପାଇଁ ଠିକଣା କଲୁ । ଅଧଘଣ୍ଟାରେ ଦି’ରାତି ପାଇଁ ନିହାତି ଆବଶ୍ୟକ କିଛି ଜିନିଷପତ୍ର ଧରି କିଙ୍ଗଷ୍ଟନ କାନାଡ଼ା ଅଭିମୁଖେ ବାହାରିଗଲୁ ।
ଆଠ ଘଣ୍ଟାର ବାଟ । ତଥାପି ମନରେ ଅଫୁରନ୍ତ ଆନନ୍ଦ । ରାସ୍ତାର କଡ଼େ କଡ଼େ ଶରତର ପୀତ, ଲୋହିତ, ହରିତ, ନାରଙ୍ଗୀ ରଙ୍ଗର ଗଛ, ଲତା, ବୁଦା । ମୋ ରହିବାର ପାଖାପାଖି ତିନି ଦଶନ୍ଧିରେ ପ୍ରତି ବର୍ଷ ଶରତ ଆସେ ଆଉ ଯାଏ । ତଥାପି ତାର ମନୋମୁଗ୍ଧକର ବର୍ଣ୍ଣାଳି ଆଜି ବି ମନକୁ ନୂଆ ଲାଗେ । ମନ ମାଦକତାରେ ଝୁମି ଉଠେ । ଉତ୍ତର ଆମେରିକାରେ ଶରତ ଋତୁରେ ପ୍ରକୃତିରାଣୀ ତା ଶାଢ଼ୀ ବଦଳାଏ । ପତ୍ର ସବୁ ଫୁଲ ପାଲଟି ଯାଏ । ମୁଷୁମୁସିଆ ଅଶିଣ ବାଆ ଶୁଖିଲା ପତ୍ରରେ ମିଶି ମନକୁ ଚହଲାଏ । ମନ ଖୁସିରେ ଲମ୍ବା ରାସ୍ତାର କ୍ଳାନ୍ତି ଜଣା ପଡେନା । ଆମ ଯାତ୍ରାର ଲକ୍ଷ୍ୟ କେବଳ ସାଧାରଣ ନିତିଦିନିଆ ବ୍ୟସ୍ତବହୁଳ ଜୀବନରୁ ଟିକିଏ ବିରତି ନେବା । ତେଣୁ ବହି ଖଣ୍ଡେ ପାଖରେ ଥିବା ନିହାତି ଆବଶ୍ୟକ । ଫର୍ଚ୍ଚା ରାସ୍ତା । ଶରତର ଦୂର ଆକାଶରେ ପୁନେଇ ରାତିର ରୂପେଲି ଜହ୍ନ ପାଇନ, ଓକ ମେପଲ ଆଦି ଗଛ ଆଢୁଆଳେ ଲୁଚକାଳି ଖେଳୁଥିଲା । ଗାଢ଼ ନୀଳ ଆକାଶର ଶାଢ଼ୀରେ ଠାଏ ଠାଏ ଭସା ମେଘର ଲହର । ସତେ ଅବା ସେ ରାତି ରଚିଛି ସାହିତ୍ୟ ଆସର । କବିର କୋମଳ ମନ ମୋର, ନିଜକୁ ଭୁଲିବାକୁ ବେଶି ସମୟ ଲାଗେନା । ଦେଖୁ ନା, ଅସଲ କଥା କହୁ କହୁ ଅମାନିଆ କଲମ କୁଆଡ଼େ ବହିଚାଲିଲାଣି । ବାଟରେ ଯାଉଯାଉ ମୁଁ ବହିଟି କାଢ଼ି ବସିଲି । କେତେବେଳେ ବାହାରେ ପ୍ରକୃତିର ଶୋଭା ଦେଖୁଥାଏ ତ କେତେବେଳେ ବହି ଭିତରେ ଅଜାଣତରେ ହଜି ଯାଇଥାଏ ।
ଏଥର ଜଲ୍ଦି ଜଲ୍ଦି ରେ ହାତରେ ଯେଉଁ ବହିଟି ପୁସ୍ତକ ଥାକ ଭିତରୁ ନେଇ ଯାଇଥିଲି ସେ ଥିଲା ଓଡ଼ିଆ ସାହିତ୍ୟର ପ୍ରଥମ ଜ୍ଞାନପୀଠ ବିଜେତା, କେନ୍ଦ୍ର ସାହିତ୍ୟ ଏକାଡେମି ଦ୍ୱାରା ସମ୍ମାନିତ ଶ୍ରୀ ଗୋପୀନାଥ ମହାନ୍ତିଙ୍କ ବାସ୍ତବବାଦୀ ଉପନ୍ୟାସ, ‘ହରିଜନ‘ । ସାହିତ୍ୟ ସର୍ଜନାରେ କବିତା ବା ଗଳ୍ପ କାଳ୍ପନିକ ହେଇପାରେ, କିନ୍ତୁ ତାର ପୃଷ୍ଠଭୂମିରେ ନିହିତ ଥିବା ଚିନ୍ତାଧାରା ନିଶ୍ଚିତ ଭାବରେ ଏକ ନିର୍ଦ୍ଦିଷ୍ଟ ସମୟର ସାମାଜିକ ପରିସ୍ଥିତିକୁ ଚିତ୍ରଣ କରିଥାଏ । ସାହିତ୍ୟ ଇତିହାସକୁ ଜାବୁଡ଼ିଧରେ ଭବିଷ୍ୟତ ପିଢ଼ିକୁ ଅତୀତର ବିସ୍ମୃତ ଗର୍ଭକୁ ଫେରେଇ ନେବା ପାଇଁ, ପରିବର୍ତ୍ତନଶୀଳ ସମୟର ବିତିଲା ସ୍ମୃତିକୁ ରୋମନ୍ଥନ କରି ଭଲମନ୍ଦ ଚେତେଇ ଦେବାପାଇଁ ।
ଶ୍ରୀ ଗୋପୀନାଥ ମହାନ୍ତିଙ୍କ ‘ହରିଜନ’ ଏଭଳି ଏକ ସଫଳ କୃତି ଯାହା ଭାରତ ସ୍ଵାଧୀନତାର ଆଖପାଖ ସମୟର ସାମାଜିକ ସ୍ଥିତି, ଜାତି ପ୍ରଥା, ଛୁଆଁ ଅଛୁଆଁ ଭାବ, ଧନୀ ଗରିବ ଭିତରେ ତାରତମ୍ୟର ଚିତ୍ର ଅଲିଭା କାଳିରେ ଆଙ୍କି ଦେଇଛି ଅନାଗତ କାଳ ପାଇଁ । ସେ ସମୟର ଧନୀ ଓ ଗରିବର ଦୈନନ୍ଦିନ ଜୀବନଶୈଳୀର ଚିତ୍ରଣ ଭିତରେ ଶୁଭେ ଦୁର୍ଭାଗ୍ୟର ଚିତ୍କାର, ଆଉ ବି ଶୁଭିଯାଏ ଧନର ବିଭତ୍ସ ଝଙ୍କାର । ସେଇ ସାମାଜିକ ବୈଷମ୍ୟର ପାଚେରୀ ଏକ ପାଖରେ ସ୍ପୃଶ୍ୟ ଓ ଆରେକ ପାଖରେ ଅସ୍ପୃଶ୍ୟ । ଉପନ୍ୟାସଟିର ଅନ୍ତଃସ୍ୱର ଏତେ କରୁଣ ଯେ ମୋର ଆଖି ଆଉ ମନ ବତୁରି ଯାଇଥିଲା ପଢି ସାରିଲା ବେଳକୁ ।
କାହାଣୀର ଦୁଇ ପକ୍ଷ । ଗୋଟେ ପାଖେ ଅବିନାଶ ବାବୁଙ୍କ ଚାରି ପ୍ରାଣୀର ସମ୍ଭ୍ରାନ୍ତ ପରିବାର । ସ୍ତ୍ରୀ ରମା, ଅଲିଅଳି ଗେଲେଇ, ଫୁଲେଇ ଝିଅ ମାନମୟୀ ଯାହାର ଗୀତ ଶିଖିବାରେ ରୁଚି ଏବଂ ଅଳ୍ପ ଗମ୍ଭୀର ପ୍ରକୃତିର ପୁଅ ଅଘୋର, ଯାହାର କବିତା ଲେଖିବାରେ ରୁଚି । ଅନ୍ୟ ପାଖରେ ତାଙ୍କ ଉଚ୍ଚ କୋଠାଘର ନିକଟରେ ଥିବା ମେହେନ୍ତର ବସ୍ତିରେ ରହୁ ଥିବା ଜେମା ଓ ତାର ଝିଅ ପୁନିର ଅଳିଆ ଆବର୍ଜନାର ସଂସାର । ସେ ବସ୍ତିରେ ସନିଆ, ରଙ୍ଗ, ଟଭା, କଜଳମତୀ, ଧନୀବୁଢ଼ା, ଆଦି ଆହୁରି ଅନେକ ଯାହାର ପରିଚୟ କେବଳ ମେହନ୍ତର ବା ମେହନ୍ତରାଣୀ । ଦିନ ଯାକ ଅଳିଆ ଗୋଟେଇ, ପାଇଖାନା ସଫା ଆଦିରେ ଯାହାଙ୍କର ଦେହ ମନ ଦୁର୍ଗନ୍ଧରେ ଶଢ଼ି ଯାଉଥାଏ, ରାତିର ଅନ୍ଧାରରେ ଟୋପାଏ ନିଶାପାଣିର ମୋହ ତାଙ୍କୁ ଆଉ ଗୋଟିଏ ଦିନ ବଞ୍ଚିବାକୁ ଶକ୍ତି ଦିଏ । ପିଙ୍କା ଟାଣି ମଦ ଢୋକେ ପିଇଦେଲେ ନିଶାଘାରେ । ତା’ପରେ ସବୁ ଅସନାର ଘୃଣା ଓ ଦୁର୍ଗନ୍ଧ ମିଳେଇଯାଏ ଅଗଣିତ ସୁବାସିତ ସ୍ୱପ୍ନରେ । ବଡ କୋଠାର ସାନ କବାଟ କାହାକୁ ଗିଳିପକାଏ କେତେଘଡ଼ି ପାଇଁ ଆଉ କିଏ ଅନ୍ଧାର ରାତିରେ କଳାକନା ବୁଲେଇବାରେ ପାରଙ୍ଗମ ହେଇଯାଏ । ରାତିରେ ଯାହା ସବୁ ଘଟେ ତା’ର କୌଣସି ସାକ୍ଷୀ ନାହିଁ । ହୁଏତ ମଦ, ପିଙ୍କା ନିଶାରେ ସେ ଅଘଟଣ ଗୁଡା ଘଟୁଥିବା ପରି ମନେ ହେଉଥିବ । ରାତି ପାହିଲେ ସକାଳର ସୁନେଲି ସୂର୍ଯ୍ୟ ସହ ପୁଣି ଫେରି ଆସେ ବାସ୍ତବତା, ନରକର ଜିଅନ୍ତା ବିଭୀଷିକା, ମାଟି ଘଟ ଅପବିତ୍ର କରିବାପାଇଁ । ନଥିଲା ଲୋକର ଦେହ ମୁଣ୍ଡରେ ପରସ୍ତ ପରସ୍ତ ଦୁର୍ଭାଗ୍ୟର କଳା । ଆଉ ଥିଲାଵାଲାଙ୍କ ସୌଭାଗ୍ୟ ଉଛୁଳି ଉଛୁଳି ପଲଙ୍କରେ ଅଳସ ଭାଙ୍ଗେ, କେବେ ହାର୍ମୋନିୟମର ସ୍ୱରରେ ବିଳମ୍ବିତ ରାଗ ରାଗିଣୀର ଲହରୀ ତୋଳେ ତ କେବେ କାହା କବିତାର ଅବୟବରେ ଢଳେ ।
ଥିଲା ଓ ନଥିଲାଙ୍କ ଭିତରେ ଯେଉଁ ଆକାଶ ପାତାଳ ଫରକ ତା’କେବଳ ଦିନ ଆଲୁଅରେ । ସେ ପାର୍ଥକ୍ୟ କିନ୍ତୁ ମିଶି ଯାଏ ରାତିର ଅନ୍ଧାରରେ, ଦେହର ଜ୍ୱାଳାରେ ଓ କାମନାର ବାସ୍ନାରେ । ଦେହ ସୁଖ ଲୋଡ଼େ, ଦେହରେ ଦେହ ଘଷି ହୋଇ ଯେବେ ରାତିର ଛାତିରେ ତାତି ଉତୁରେ, ସୁଖର କଳ୍ପନା ଚେର ଧରେ, ବାଉଳା ଜହ୍ନ ଆଲୁଅରେ ଅନ୍ଧାର ବାଟ କାଢ଼େ । ଅନ୍ଧାରୁଆ ଗଳିରେ, ନିର୍ଜନ ରାତିର ଶୀତଳ ନଈ ବାଲିରେ ଯେବେ ତାରୁଣ୍ୟର ଚପଳତା ଉଲୁସି ଉଠେ, ମୁକ ଛାଇ ଜିଭକାମୁଡ଼ି ଚୁପଚାପ ରହେ । ଅନ୍ଧାରି ଅନୁଭୁତିର ସ୍ୱାଧୀନତା ସେମାନଙ୍କ ମଧ୍ୟରେ ଦୂରତାକୁ ସଂକୁଚିତ କରିଦିଏ । ସବୁ ଦୁର୍ଗନ୍ଧ ରାତିର ରଜନୀଗନ୍ଧାରେ ବାସେ ।
ତଥାପି ଗରିବ ସ୍ତ୍ରୀ ସମସ୍ତଙ୍କ ଶାଳୀ, ବାପାର ଶାଳୀ ପୁଅର ବି ଶାଳୀ । ପୁନି ଯେ ଏଠାରେ ସେ ବାପାର ଅଛୁଆଁ ଘରେ ଜନ୍ମ ହେଇଥିବା ଅବାଂଛିତ ସନ୍ତାନ ସେ ସମ୍ପର୍କର ଗଣ୍ଠି କିଏ ଜାଣିବାକୁ ଚେଷ୍ଟା କରିଛି । ମା ତାର ସେଥିପାଇଁ ଶଙ୍ଖରେ ପୁରେଇ, ଘଣ୍ଟ ଘୋଡେଇ ସମ୍ଭାଳି ରଖିଥିଲା ଯେତେ ଯାଏଁ ସେ ପାରିଥିଲା । ରମା’ର ମାନି ପରି ସୁନ୍ଦରିଆ ଗଢ଼ଣ ଦିଶିଲେ ବି ସେ ଜେମା ମେହନ୍ତରାଣୀ’ର ପୁନି । ଗୋଟେ ପିଲାର ମା ଜାଣେ ତା ପିଲାର ବାପା କିଏ । ହେଲେ ଜଣେ ଅଛୁଆଁ ଜାତିର ଛୁଆଁ ବାପ କାହାକୁ ଅବା କାହିଁକି ବିଶ୍ୱାସ ହେବ ।
ପୁନି ନୂଆଁ କରି ପଞ୍ଚବଟୀ ଗାର ଡେଇଁଛି । ଅଳିଆ ଅସନାର ପ୍ରଥମ ଛିଟା ସହିଗଲା ପରେ ବାକି ସବୁ ଦେହ ସୁହା । ହେଲେ ତାର ଦେହ ମନ କୋଠାଘରର ସୁଖ ଖୋଜେ । ସନିଆ ବସ୍ତିର ଆଉ ଏକ ତରୁଣ । ଜଣେ ମଳିମୁଣ୍ଡିଆ ହେଲେ କଣ ତା’ ଦେହରେ ବୟସର ବାସ୍ନା ଫୁଟେ ନା ? ସନିଆର ସ୍ବପ୍ନରେ କେବଳ ପୁନି ଆଉ ତା’ସହ ଘରସଂସାର । ପେଟ ପୋଷ ନାହିଁ ଦୋଷ..ଶିଖେଇ ଦେଇଛି ଧନୀବୁଢ଼ା । ଯା ଘରେ ଦିନବେଳେ ସତ୍ ସଙ୍ଗ ଚାଲେ ଆଉ ରାତିହେଲେ ଲୋକଙ୍କୁ ପାଠ ପଢ଼େଇଦିଏ .. ନେଇ ଆଣି ଥୋଇ ପାରିଲେ ଚୋରି ଵିଦ୍ୟା ସାର । ପ୍ରଥମ ଚୋରିର ସଫଳତା ସନିଆକୁ ଯେତିକି ଆନନ୍ଦ ଆଣି ଦେଇଥିଲା ସେତିକି ଭୟର ଶିହରଣ । ଭଙ୍ଗା ଦଦରା ଘରେ ଚୋରି ପଇସା ସାଇତି ରଖିବାକୁ ମଧ୍ୟ ଜାଗା ନାହିଁ । ହେଲେ ଚୋରି କରିବା ମଦ ନିଶାଠୁ କିଛି କମ ନୁହେଁ ଧରାପଡ଼ିଲା ଯାଏଁ । ଆହା..ସେଦିନ ତାକୁ କେତେ ମାଡ଼ କାଟିଥିବ ହେଲେ ପୁନିକୁ ନେଇ ତାର ସ୍ବପ୍ନ ନିଶ୍ଚୟ ଅତି ଗାଢ଼ ତେଣୁ ପାଟିରୁ ଉଁ ଚୁଁ ଶବ୍ଦ ବାହାରି ନଥିଲା କାହା ପାଇଁ ତା ଚୋରି ପଇସା ଖର୍ଚ୍ଚ କରିଛି । ତା କଷ୍ଟ ଦେଖି ପୁନି ଆଖିରୁ ଅବିରତ ଲୁହଧାର ଝରିପଡ଼ୁଥିଲା ସହାନୁଭୁତିର ଅନୁଭୁତିରେ । କିନ୍ତୁ ଗରିବ ଲୋକଙ୍କ ପାଇଁ ଆଇନ କୋହଳ ପଡ଼େନା ।
ସନିଆ ଏବେ ଥାନାରେ । କେଇ ଦିନର ଶୋକ ପୁଣି ଜୀବନ ରାତି ପାହିଲେ କୋଡ଼ି ଟୋକେଇ ଧରି ଆଗକୁ ବଢ଼େ । ଅଳିଆ ସଫାକଲେ ମୂଲ ମିଳିବ, ମୂଲ ମିଳିଲେ ଘରେ ଚୁଲି ଜଳିବ । ଦି ପଇସା ବଳିଲେ ରାତିକି ପିଙ୍କା ଧୂଆଁର ଭଉଁରୀରେ ମନ ସ୍ବପ୍ନ ବୁଣିବ ଆଉ ମଦ ମୁନ୍ଦେ ପିଇ ଦେହ କଷ୍ଟ ହାରିବ । ହାଡ଼ି ବସ୍ତିରେ ଏଇ ତ ଜୀବନ । ଆଉ କୋଠାଘରେ ଚା, ଜଳଖିଆ, ଖାଇ ହାର୍ମୋନିୟମରେ କବିତାର ସୁର ସାଜିବା ପାଇଁ ସମୟ ହିଁ ସମୟ ।
ସକାଳ ହେଲେ ଯେଉଁମାନେ ଆସି ଅଇଁଠା, ପାଇଖାନା, ଅଳିଆ ସଫା ନକଲେ କୋଠାଘରେ କାମ ଚଳେନି ସେମାନଙ୍କ ପଚାସଢ଼ା ବସ୍ତି ବଡ଼ଲୋକଙ୍କ ଆଖିରେ ଦେଖି ହୁଏନି । ତାଙ୍କୁ ସେଠୁ ତଡ଼ି ଦେଲେ ଭଲ ବଗିଚା ହେବ, କୋଠା ଗଢ଼ିବ, ସୁନ୍ଦର ଦିଶିବ, ସହର ବଢ଼ିବ । ପରର ଭିଟାମାଟି ହେଲେ ମଧ୍ୟ ଚାଳକୁଡ଼ିଆ ଗଢ଼ି ଯିଏ ବର୍ଷ ବର୍ଷ ବସା ବାନ୍ଧିଛି, ରାତାରାତି ଛାଡ଼ି ପଳା କହିଲେ କେହି ସହଜରେ ଛାଡ଼ିଦିଏନ । ଖରା ବର୍ଷାରେ ମୁଣ୍ଡ ଗୁଞ୍ଜିବା ପାଇଁ ଛାତଟିଏ ଲୋଡ଼ା ।
କିନ୍ତୁ ବଡ଼ ବଡ଼ିଆଙ୍କ କଥା ନ ଶୁଣିଲେ ବଡ଼ ସହରରେ ନିଦ ବଉଳାରେ ଲୋକେ ଜାଣିପାରନ୍ତିନି ଶୋଇଥିବା ବେଳେ ରାତାରାତି ବସ୍ତିରେ କୁଆଡୁ ନିଆଁ ଆସେ ଆଉ ଲହ ଲହ ହେଇ ଚାଳକୁ ଚାଳ ଡେଇଁ ଡେଇଁ ଭୈରବର ରାଗିଣୀ ସଞ୍ଚରି ଯାଏ । ରାତିରେ ଯଦି କାହାକୁ ଏ ଅବାଂଛିତ ସ୍ବପ୍ନର ବିଭୀଷିକା ପରି ଲାଗେ, ସକାଳର ସୂର୍ଯ୍ୟ ବସ୍ତିରେ ଓହ୍ଲେଇ ଆସିଲେ ଫର୍ଚ୍ଚା କରି ଦେଖେ ତା’ର ପୋଡ଼ା ସଂସାର ପାଉଁଶ ଗଦାରେ ଅଙ୍ଗାର ହେଇ କୁରୁଳୁଛି । ଆଲୁରୁ ବାଲୁରୁ ପାଉଁଶ ଗଦାରୁ ସାରା ଜୀବନର ଅଧାଜଳା ପୁଞ୍ଜି; ବାସନ, ବାଲ୍ଟି, ପୋଡା
ଲୁଗା ଖଣ୍ଡେ ଅବା ହେଁସ ମସିଣା, କୋଡ଼ି, ଟୋକେଇ ଖୋଜି ପୁଣି ନୂଆଁ ଆଶ୍ରୟ ଖୋଜେ ମଣିଷ । ମୁଣ୍ଡଫଟା ଗାଳିଗୁଲଜର ରୋଳଗୋଳ ରୁଦ୍ର ଵୀଣାର ବେସୁରା ଝଙ୍କାର ପରି ଶୁଭୁଥିବ । ଭିଟାମାଟି ନ ଛାଡ଼ିବା ପାଇଁ କାମ ଛାଡ଼ି ଉତ୍ତେଜନାର ସ୍ୱର ଉତ୍ତୋଳନ କରିଥିଲେ ମଧ୍ୟ ପେଟ ଭୋକ ତୁଣ୍ଡେ ଧରି କେତେ ଦିନ ଅବା କାମକୁ ନଯାଇ ଅଟକି ରହି ପାରନ୍ତେ ।
ଦେହ, ମନର ଅନ୍ତଃପୁଟୁଳି ମନ୍ଥି ଦେଲା ପରି ‘ହରିଜନ’ ଉପନ୍ୟାସର ପୃଷ୍ଠଭୂମି । ସ୍ୱାଧୀନତା ପରେ ଭାରତ ଧୀରେ ଧୀରେ ଉନ୍ନତି ଦିଗରେ ଅଗ୍ରସର ହେଇଚି ନିଶ୍ଚୟ । କିନ୍ତୁ ତା’ପଛରେ ସବୁଠୁ ବେଶୀ ଜଳାଞ୍ଜଳି ଦେଇଛନ୍ତି ଏଭଳି ବସ୍ତିରେ ରହୁଥିବା ଅଗ୍ରଦୂତ ହରିଜନମାନେ । ତାଙ୍କ ନିଜ ପାଇଁ ଛାତ ଖଣ୍ଡେ ନଥିଲା ବେଳେ ସହର ଗଢ଼ିବା ପାଇଁ କୋଡ଼ି ଟୋକେଇ ଧରି ସେମାନେ ତାଙ୍କର ଲହୁଲୁହ ପୋଛି ଅଜସ୍ର ଶ୍ରମ ଦେଇଛନ୍ତି ଦିଓଳାର ଭୋକଶୋଷ ମେଣ୍ଟିବା ପାଇଁ । ସହର ଗଢ଼ିତୋଳା ହେଲେ ପୁଣି ଅଵିନାଶ ବାବୁ ପରି କିଏ ନା କିଏ ଆସିଯାଏ ବସ୍ତି ଘୁଂଚେଇ ଦେବାପାଇଁ । ‘ହରିଜନ’ ଶବ୍ଦଟି ପ୍ରଥମେ ଗୁଜୁରାଟର ପ୍ରସିଦ୍ଧ କବି ନରସିଂହ ମେହତା ଵ୍ୟଵହାର କରିଥିଲେ ଯିଏ ‘ବୈଷ୍ଣବ ଜନ ତୋ’ ଭଜନ ଲେଖିଥିଲେ । କିନ୍ତୁ ଉଦ୍ଦେଶ୍ୟ ଅଲଗା ଥିଲା । ପରେ ମହାତ୍ମା ଗାନ୍ଧୀ ତାର ବ୍ୟବହାର 1920 ମସିହା ଠାରୁ କରିଥିଲେ । ସେ ବୁଝି ପାରିଥିଲେ ଦେଶ ସ୍ଵାଧୀନ ହେବା ପାଇଁ ଛୁଆଁ ଅଛୁଆଁ ଭେଦଭାବ ଦୂରେଇବା ନିହାତି ଆବଶ୍ୟକ । ପରେ ତାହା ‘ଦଳିତ’ ସଂଜ୍ଞା ନେଇଥିଲା । କିନ୍ତୁ ଏଭଳି ଏକ ସାମାଜିକ ବିକୃତି ଏତେ ସହଜରେ ବିଲୁପ୍ତ ହେବା ସମ୍ଭବ ନୁହେଁ ।
ବହିଟି ପଢ଼ିଲା ବେଳେ ମୋର ପିଲାଦିନର କିଛି ସ୍ମୃତି ପୁଣି ମନରେ ଭଉଁରୀ କାଟି ଆଖି ଆଗରେ ପହଁରିବାରେ ଲାଗିଲା । ମୋର ପ୍ରାଥମିକ ବିଦ୍ୟାଳୟ ବ୍ରହ୍ମପୁରରେ ଗୋଟେ ହରିଜନ ବସ୍ତି ପାଖରେ ଥିଲା । ସତୁରି ଦଶକର ଶେଷ ଆଡକୁ ମଧ୍ୟ ଏହା ହରିଜନ ବସ୍ତି କମ ହାଡ଼ିସାହି ବୋଲି ହିଁ ଲୋକଙ୍କୁ ଜଣାଥିଲା । ତେଣୁ ଆମ ସ୍କୁଲକୁ ଅନେକେ ଡମ୍ବ ସ୍କୁଲ ବୋଲି କହନ୍ତି । ସେ ସମୟରେ ଉଠା ପାଇଖାନା ଆହୁରି ପ୍ରଚଳିତ ଥିଲା । ପରିବର୍ତ୍ତନ ଆସିଥିଲା ନିଶ୍ଚୟ । ସେ ବସ୍ତିରୁ କେତୋଟି ପିଲା ଆମ କ୍ଲାସରେ ପଢୁଥିଲେ । କିନ୍ତୁ ଶିକ୍ଷକମାନେ ସେମାନଙ୍କୁ ଅଲଗା ବସାନ୍ତି । ମୋର ସରଳ ମନ କିନ୍ତୁ ବିଦ୍ରୋହ କରେ । ମୋର ମନେ ଅଛି ସେମାନଙ୍କ ମଧ୍ୟରୁ ଗୋଟିଏ ଝିଅକୁ ମୋ ପାଖରେ ଆଣି ଯେଉଁ ଦିନ ବସାଏ ସେଦିନ ଖେଳ ପଡ଼ିଆରେ ମୋତେ କେହି ଛୁଅନ୍ତି ନାହିଁ । ଘରକୁ ଫେରିଲେ ଘର ସାମନାରେ ଥିବା ନଲକୂଅଁ ପାଖରେ ମୋ ଆଈ ଆଗେ ବାଲଟିଏ ପାଣି ଅଜାଡ଼ିଦିଏ ମୋ କଅଁଳ ଦେହରେ । ମୋ ମା’ର ହୃଦୟ କିନ୍ତୁ ବଡ଼ଥିଲା ।
ବ୍ରାହ୍ମଣ ଘରେ ଜନ୍ମ ହେଲେ ମଧ୍ୟ ସେ ଜାଣେ ତା ନିଜ ଅଭାବି ସଂସାରର ଦୁଃଖ । ତେଣୁ ଯେବେ ପାରେ ଅବା ପୁନିଅଁ ପରବରେ ସେ ଦଳିତମାନଙ୍କୁ ଖାଇବା ପରସି ଦିଏ । ଆମ ପିଲାଙ୍କ ପିନ୍ଧା ଲୁଗା ଛୋଟ ହେଇଗଲେ ତାଙ୍କ ପିଲାଙ୍କ ପାଇଁ ଦେଇଦିଏ । କିଛି ବର୍ଷ ତଳେ ସେହି ସ୍କୁଲ ବାଟ ଦେଇ ଯାଇଥିଲି । ସ୍କୁଲ ହତା କେବେଠୁଁ ବଦଳି ଗଲାଣି ବୋଧେ । ହରିଜନ ବସ୍ତି ବଦଳରେ ବଡ଼ ତିନି ମହଲା ଦୋକାନ ବଜାର ଛିଡ଼ା ହେଇଥିଲା । ଖବର ସିନା ରଖିନି ହେଲେ ସେମାନେ ବି ନିଶ୍ଚୟ ଦିନେ (urbanization) ସହରୀକରଣର ଶିକାର ହେଇଥିବେ ।
କିଙ୍ଗଷ୍ଟନରେ ଅର୍ଜୁନ ମଉସାଙ୍କ ସହ ସାନ୍ଧ୍ୟ ପ୍ରୀତିଭୋଜନ କରିବା ସମୟରେ ସେ ନିଜ ଜୀବନ କାଳରେ ଘଟିଥିବା ଅନେକ ଘଟଣା ବିଷୟରେ ଆମକୁ ଅବଗତ କରାଇଥିଲେ | ବୟସର ଅପରାହ୍ନରେ ନିଜ ଅଭିଜ୍ଞତାମାନ ସହର୍ଷ ବାଣ୍ଟିବା ସମୟରେ ଅନେକ ଭଲମନ୍ଦ ଘଟଣା ମାନଙ୍କର ମଧ୍ୟ ଉଲ୍ଲେଖ କରିଥିଲେ | ତା ସବୁ ମଧ୍ୟରେ ଚର୍ଚ୍ଚାର ଗୋଟିଏ ବିଷୟ ଏଭଳି ମଧ୍ୟ କହିଥିଲେ, ପଶ୍ଚିମ ଓଡ଼ିଶାରେ ଉନବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଏକଦା ଝାଡ଼ୁଆ ଏବଂ ଉତ୍କଳୀୟ (ଓଡ଼ିଆ) ଜାତିର ବ୍ରାହ୍ମଣ ମାନଙ୍କ ଭିତରେ ମଧ୍ୟ ଏଭଳି ଭେଦଭାବ ରହିଥିଲା ଏବଂ ସେମାନଙ୍କ ପରିବାର ଭିତରେ ବିବାହ ସମ୍ପର୍କ ସମାଜରେ ଆଦୃତ କରାଯାଉନଥିଲା |
ଏବେ ଦେଶ ବଦଳିଛି, ଛୁଆଁ ଅଛୁଆଁ ଭାବ ସେଇ ପରିମାଣରେ ଆଉ ନାହିଁ । ଏହା ଗର୍ବର କଥା । ତଥାପି ଯେଉଁମାନେ ଦେଶର ସ୍ୱାର୍ଥରେ ନିଜର ସ୍ୱାର୍ଥକୁ ଆହୁତି ଦେଇଛନ୍ତି ସେମାନଙ୍କ ଅବଦାନ ସମାଜ ଭୁଲି ନଯାଉ । ଲାଭ ଆଉ କ୍ଷତି ମୁଦ୍ରାର ଦୁଇଟି ପାର୍ଶ୍ୱ । ଜଣକର ଲାଭରେ ଆଉ ଜଣକର କ୍ଷତି ନିଶ୍ଚୟ ଥାଏ । ଗୋପୀନାଥ ମହାନ୍ତିଙ୍କ ଏହି କାଳଜୟୀ ଉପନ୍ୟାସ ‘ହରିଜନ’ ଆଗାମୀ ପୀଢ଼ିକୁ ତାର ଋଣଭାର ସର୍ବଦା ଚେତେଇ ଦେଉଥାଉ । ମୋର ସାହିତ୍ୟିକ ଯାତ୍ରାପଥ ମାର୍ଜିତ କରିବା ଉଦ୍ଦେଶ୍ୟରେ ଦେଇଥିବା ଏହି ଉପହାରଟି ପାଇଁ ଜୟକୃଷ୍ଣ ଭାଇଙ୍କୁ ମଧ୍ୟ ବିଶେଷ କୃତଜ୍ଞତା ଜଣାଉଛି ।

Gayatri panigrahi
01/13/2025ବହୁତ ସୁନ୍ଦର ଲେଖିଛୁ ମନୁ, ଗୋପୀନାଥ ମହାନ୍ତିଙ୍କ କାଳଜୟୀ ଉପନ୍ୟାସ “ହରିଜନ “ଉପରେ। ମୁଁ ଏଇ କିଛିଦିନ ପୂର୍ବରୁ କଥାକାର ପ୍ରଫେସର ରାଜକିଶୋର ମିଶ୍ରଙ୍କର ନିଜସ୍ୱ ଅନୁଭୂତି ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ କୁ ନେଇ ପୁସ୍ତକ “ଗୋପୀନାଥ ଙ୍କ ଉପନ୍ୟାସର ମରମ କଥା “କୁ ପଢ଼ୁଥିଲି।
ପ୍ରକୃତରେ ଏଇଭଳି ଲେଖା ହିଁ ପାଠକଙ୍କ ନିକଟରେ ପହଞ୍ଚାଇ ପାରେ ସମାଜର ବିଭିନ୍ନ ବର୍ଗରେ ଉପୁଜୁଥିବା ସମସ୍ୟା ଓ ତାର ଆଶୁ ସମାଧାନର ବାଟ..
ବହୁତ ଭଲ ଲେଖୁଛୁ ଏମିତି ଆହୁରି ଅନେକ ଲେଖିବାର ପପ୍ରୟାସ ଜାରି ରଖ 😊❤️
Manorama Choudhury
01/13/2025ନାନୀ, ଲେଖାଟି ପଢି ନିଜର ମତାମତ ସହ ପ୍ରୋତ୍ସାହନ ଦେଇଥିବା ପାଇଁ ବହୁତ କୃତଜ୍ଞତା ଜଣାଉଛି I
Biraja Mahapatra
01/13/2025Oh my god! You are a fabulous writer. 🎉🎉🎉
Manorama Choudhury
01/13/2025Biraja bhai, your appreciation means a lot! Much love and regards!
Subrat Mohanty
01/13/2025Amazing. So soulful your write-up is. Beautiful.
Manorama Choudhury
01/14/2025Thank you for enjoying my write up!
Santwana Dash
01/14/2025Beautifully penned.. Congratulations for this write up.
Manorama Choudhury
01/14/2025Thank you dear for your kind appreciation!
Dr. R. K. Das
01/15/2025ଜ୍ଞାନପୀଠ ପୁରସ୍କାର ପାଇବାରେ ପ୍ରଥମ ଓଡ଼ିଆ ଗୋପୀନାଥ ମହାନ୍ତିଙ୍କ ‘ହରିଜନ’ ଉପନ୍ୟାସ ଉପରେ ଆଧାରିତ ଏ ଆଲେଖ୍ୟ ପାଠକକୁ ସୁସାହିତ୍ୟିକା ମନୋରମାଙ୍କ ସୃଜନଶୀଳତାର ଗଭୀରତମ ପ୍ରଦେଶ କୁ ନେଇଯାଏ l ଆକର୍ଷଣୀୟ ଶୈଳୀ ଏବଂ ଭାଷାର ଲାଳିତ୍ୟ ପାଠକର ମନରେ ଖୁସିର ଲହରୀ ଖେଳେଇ ଦିଏ l ଅସୀମିତ ଶୁଭେଚ୍ଛା l
Manorama Choudhury
01/15/2025The original story is very touchy and narrates darkest times of Indian history. ଆପଣଙ୍କୁ ମୋର ସାଧାରଣ ଲେଖିବା ଶୈଳୀ ଭଲ ଲାଗିଛି ଜାଣି ଅତ୍ୟନ୍ତ ଖୁସି ଏବଂ ପ୍ରୋତ୍ସାହିତ ହେଲି | ସହୃଦୟ କୃତଜ୍ଞତା ଜଣାଉଛି | Please explore other posts and songs on my website. Looking forward to hearing your feedback. Much regards!
Dr. R. K. Das
01/15/2025ଏ ଆଲେଖ୍ୟର ମଝିରେ ମଝିରେ ବହୁତ ସୁନ୍ଦର ସୁନ୍ଦର ଫୋଟୋ ଲେଖାର ଆକର୍ଷଣ କୁ ବହୁଗୁଣିତ କରେ l ସ୍ୱାଧୀନତାର 77 ବର୍ଷ ପରେ ଏବଂ ଗାନ୍ଧିଜୀଙ୍କ ପ୍ରୟାସର ଏକ ଶତାବ୍ଦୀ ପରେ ମଧ୍ୟ ଆମ ସମାଜରେ ଯେଉଁ ସ୍ପୃଶ୍ୟ / ଅସ୍ପୃଶ୍ୟ ଭେଦଭାବର ହିମାଳୟ ଛିଡ଼ା ହୋଇଛି, ତାହା ଆଧୁନିକ ମଣିଷର ଅସ୍ତିତ୍ବ ଏବଂ ବୁଦ୍ଧିମତ୍ତା ତ୍ପାଇଁ ଏକ ଆହ୍ୱାନ l ଏହା ବିରୁଦ୍ଧରେ ମନୋରମାଙ୍କ ଦରଦୀ ହୃଦୟରେ ବିଦ୍ରୋହର ଝଲକ ଦେଖିବାକୁ ମିଳେ l
Manorama Choudhury
01/15/2025I am relatively new to writing. Book reviews probably have a structured method to follow. However, I feel adding a personal and visual touch not only makes appealing to readers but also allows the writer to be creative. Not knowing the thumb rules I simply follow my heart. This habit of mine probably started with travel diaries. You may enjoy them as well. Once again thank you for your time, sir!
Dr. R. K. Das
01/16/2025Newness or novely always brings a puff of fresh air. Your writing has it in full measure. Staying so much detached, you still maintain an uncommon grip over the nuances of Odia language. Your choice of words has a fantastic relevance, the description has a natural flow. I’m sure you will turn out to be a master story teller. Love and best wishes.
Manorama Choudhury
01/16/2025Dear Rabindra sir, I am touched beyond words for your validation. I try to search and feel my mother in my mother tongue. Since the pandemic, I have sincerely tried to express myself in Odia. Rest is God’s wish. Counting all your love and well wishes!!