ତାରିଖ ଜୁନ 2, 2023 ।
ଓଡ଼ିଶାରେ ଅବିଶ୍ୱସନୀୟ ଭାବରେ ତିନୋଟି ରେଳ ଦୁର୍ଘଟଣା ଗ୍ରସ୍ତ । ଶହ ଶହ ଲୋକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଏବଂ ଅଗଣିତ ଆହତ । କାହା କାହାର ହାତ, ଗୋଡ଼ ମୁଣ୍ଡ ଦେହ ଅଲଗା ହେଇ ଯାଇଛି ତଥାପି ପ୍ରାଣ ଟିକକ ବୋଧେ ଆହୁରି ଶରୀରକୁ ଭିଡ଼ି ଧରିଛି । ଏପାଖେ ବଡ଼ ଦେଉଳରେ ବଡ଼ ଠାକୁର ଭୀଷଣ ଖରାରୁ ତ୍ରାହି ପାଇବା ପାଇଁ ସ୍ନାନ ମଣ୍ଡପକୁ ଯିବା ଲାଗି ସଜ ହେଉଛନ୍ତି ।

ସେଦିନ ହୁଏତ ବଡ଼ ଠାକୁରଙ୍କ ଲୀଳା କେହି କେହି ବୁଝି ପାରିନଥିବେ । କିଏ କିଏ ହୁଏତ ତାଙ୍କୁ ଗାଳି ମଧ୍ୟ କରିଥିବେ ଏଭଳି ଦୁର୍ଘଟଣା କାହିଁକି କରିଦେଲ ବୋଲି । ସତରେ ରେଳ ଦୁର୍ଘଟଣାର ଏ ମର୍ମନ୍ତୁଦ, ହୃଦୟ ବିଦାରକ, ଯୁଦ୍ଧଭୂମିର କରାଳ ବିଭୀଷିକା ପରି ଏ ଭୟଙ୍କର ଦୃଶ୍ୟ ଯେ ଅଙ୍ଗେ ନିଭେଇ ଥିବ, ଯେ ଦେଖିଥିବ ତାହା ସେ ଆଜୀବନ ଭୁଲିପାରିବନି । ମନୁଷ୍ୟ ହୃଦୟରେ କାରୁଣ୍ୟ ବିଧାତା ଖୁନ୍ଦି ଖୁନ୍ଦି କରି ଭରି ରଖିଛି । ଦୁଃଖକଷ୍ଟ କାହାର ବି ଦେଖିଲେ ମନ ଡହଳ ବିକଳ କରି ଆହା ଶବ୍ଦଟେ ଉଚ୍ଚାରେ ନିଶ୍ଚୟ । ଓଡ଼ିଶାର କର୍ତ୍ତାଧର୍ତ୍ତା ମୁଖିଆ ଶ୍ରୀ ଜଗନ୍ନାଥ । ଡେଙ୍ଗା ମୁଣ୍ଡରେ ଠେଙ୍ଗା । ତେଣୁ ଏଭଳି କଷ୍ଟ ଦେଖିଲେ ଓଡ଼ିଶାବାସୀ ପ୍ରଥମେ ଗୁହାରି ହେଉ ବା ଗାଳି, କେବଳ ତାଙ୍କୁ ହିଁ କରନ୍ତି । ତେଣୁ ଏ ବର୍ଷର ସ୍ନାନ ପୂର୍ଣ୍ଣିମା ସମୟରେ ଏହି ରେଳ ଦୁର୍ଘଟଣା ହେଲା ବୋଲି ଅନେକ ଲୋକ ମନେ ମନେ ଭାବି ଥିବେ ଯେ ଠାକୁର ଏଥର ନିଜ ସ୍ନାନ ପାଇଁ ପୂଣ୍ୟ ନଦୀମାନଙ୍କର ଜଳ ନୁହେଁ ରକ୍ତରେ ବୋଧେ ଗାଧେଇବାକୁ ଇଚ୍ଛା କଲେ ।

କିନ୍ତୁ ମୋ ଦୁଃଖୀରଙ୍କୀଙ୍କ ଠାକୁର ଏତେ ନିଷ୍ଠୁର କେବେ ହୋଇ ପାରିବେ ତାହା କାହିଁ ବିଶ୍ୱାସ କରିବାକୁ ମୋ ମନ ତିଳେ ହେଲେ ବଳୁ ନାହିଁ । ଗ୍ରହ ନକ୍ଷତ୍ରର ଗତିକୁ ବଦଳାଇବା ପାଇଁ ହୁଏତ ଠାକୁର ବି ଅକ୍ଷମ ଥିବେ । ଆଉ ସେ ଗତିର ପ୍ରଭାବରେ ଯେଉଁ ଦୁର୍ଘଟଣା ହେବାକୁ ଥିବ ସେ ତାକୁ କିଭଳି ବଦଳାଇ ପାରିଥାନ୍ତେ । ହେଲେ ମୁଁ ଭାବୁଛି ସେ ନିଶ୍ଚେ ପାରୁପଣେ ଚେଷ୍ଟା କରିଛନ୍ତି କେମିତି ସେ ଦୁର୍ଘଟଣା ଜନିତ କ୍ଷତି କମ କରିବେ ବୋଲି । କିନ୍ତୁ ଜୀବନହାନିର କ୍ଷତିକୁ ଉଣାଅଧିକ ନିକିତିରେ କେବେ ତୋଳାଯାଇ ପାରେନା । ତେଣୁ ସେ ନିଶ୍ଚେ ଡହଳ ବିକଳରେ କାନ୍ଦିଥିବେ ଆଉ ସ୍ନାନ ବେଦୀରେ ସେବକ ମାନଙ୍କ ମନ୍ତ୍ର ଉଚ୍ଚାଟରେ ତାଙ୍କ କାନ୍ଦଣା କାହାକୁ ଶୁଭି ନଥିବ । ସ୍ନାନ ପୂର୍ଣ୍ଣିମାରେ ଗାଧେଇଲା ବେଳେ ତାଙ୍କ ଚକାଆଖି ଲୁହ ଲୁଚେଇବାରେ ସକ୍ଷମ ହେଇ ପାରିନଥିବ, ପୂଣ୍ୟ ନଦୀଜଳ ସହ ମିଶି ବହି ଯାଇଥିବ ଯାହା ହୁଏତ ସେବକ ମାନଙ୍କୁ ବୁଝା ପଡ଼ିନଥିବ ।

ମହାପ୍ରଭୁଙ୍କର ହାତ ନାହିଁ ବୋଲି କହିବା ଠିକ ନୁହେଁ । ବିନା କାରଣରେ ତାଙ୍କୁ କେହି ମହାବାହୁ ଆଖ୍ୟା କାହିଁକି ଦେବ ? ମୋର ଏଭଳି ବିଚାର କରିବାର କାରଣ ହେଲା ଦୁର୍ଘଟଣାଟି ଏଭଳି ଜାଗାରେ ହୋଇଛି ଯେଉଁ ଜାଗାର ନାଁ ବାହାନଗା । ସେ ଜାଗାର ନାଁ କିଏ ଦେଲା ଏବଂ କଣ ପାଇଁ ହେଇଚି ମୁଁ ଜାଣିନି । କିନ୍ତୁ ଯଦି ମୁଁ ପ୍ରଭୁଙ୍କ ସପକ୍ଷରେ ଓକିଲାତି କରିଥାନ୍ତି ତେବେ ମୋ ମତରେ ବାହାନଗାର ଅର୍ଥ ‘ବାହୁ ନଗେଇ ଯେ ଓଜନ ବହନ କରିବାରେ ସକ୍ଷମ ହେଇପାରିବ’ ହେଇଥାନ୍ତା । ଯଦି ଗ୍ରହ ନକ୍ଷତ୍ରର ପ୍ରଭାବ କମ କରିବାକୁ ସେ ଚେଷ୍ଟା କରି ନ ଥାନ୍ତେ, ଏବଂ ଏ ଦୁର୍ଘଟଣା ଅନ୍ୟତ୍ର କେଉଁ ଜାଗାରେ ହୋଇଥାଆନ୍ତା, ହାତ ଗୋଡ଼ ନଥିବା ଠାକୁର ଏତେ ବାହୁ କେଉଁଠି ପାଇଥାନ୍ତେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ । ବାହାନଗାର ଲୋକମାନେ ଏଭଳି ମର୍ମନ୍ତୁଦ ଘଟଣାର ଖବର ପାଇ ମୁହୂର୍ତ୍ତକ ଭିତରେ ସ୍ୱଇଚ୍ଛାରେ ଯେଉଁ ପରିମାଣରେ ଗାଡି, ମୋଟର, ସାଇକେଲରେ ବୁହା ହୋଇ ଆସିଗଲେ ଘଟଣା ସ୍ଥଳକୁ ହାତ ବଢ଼େଇଦେବା ଲାଗି, ଅନ୍ୟ କେଉଁଠି ତାହା ସମ୍ଭବ ହେଇ ପାରିଥାନ୍ତା କି ନାହିଁ କିଏ କହିବ ।

ଲକ୍ଷ୍ମୀ ପୁରାଣରେ କଥିତ ଅଛି ଶ୍ରୀ ଜଗନ୍ନାଥଙ୍କୁ ଜାତିଭେଦ କଲେ ବୋଲି ଅସହ୍ୟ କଟକଣା ସହିବାକୁ ପଡ଼ିଥିଲା | ସେ ଅପଯଶ ଆଉ କେବେ ନ ହେଉ ବୋଲି ମନେ ମନେ ପ୍ରତିଜ୍ଞା କରିଥିବେ | ଜାତିଭେଦ, ଚିହ୍ନା ଅଚିହ୍ନା, ଉଚ୍ଚନୀଚ ପଦ ନ ବାରି ବାହାନଗାବାସୀ ଦୁର୍ଘଟଣାସ୍ଥଳରେ ନିଜ କ୍ଷମତା ବାହାରେ ସାହାଯ୍ୟ କରିବା ପାଇଁ ଅଂଟା ଭିଡି ବାହାରି ଆସିଥିଲେ ଏବଂ ପାଖଆଖ ଅଞ୍ଚଳର ବାଲେଶ୍ୱର ବାସିନ୍ଦାମାନେ ମାନବିକତାର ଆହ୍ୱାନରେ ରାତିର କଞ୍ଚା ନିଦକୁ ବେଖାତିର କରି ଦେଶର ଜାଗୃତ ପ୍ରହରୀ ପରି ଡାକ୍ତରଖାନାରେ ଧାଡି ବାନ୍ଧି ଠିଆ ହୋଇଗଲେ ରକ୍ତ ଦାନ ଲାଗି । ଯଦି ଆମେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରୁ ତେବେ ବିନା ତାଙ୍କ ଇଚ୍ଛାରେ କଣ ତାଙ୍କର ଏତେ ବାହୁ ଲମ୍ବି ଯାଇଥାନ୍ତା ଆହତ ଲୋକଙ୍କୁ ସାଉଁଟି ନେବା ପାଇଁ । ସେ ଦିନ ବଡ଼ ଠାକୁର ପ୍ରତ୍ୟେକ ବ୍ୟକ୍ତିଙ୍କ ଶରୀରରେ କଷ୍ଟ ଭୋଗିଥିବେ ଆଉ କଷ୍ଟ ନିବାରଣ ପାଇଁ ମଧ୍ୟ କୋଳେଇ ଧରି କାନ୍ଦିଥିବେ । କେତେ ମୁମୂର୍ଷୁଙ୍କ ମୁହଁରେ ଜୀବନର ଶେଷ ଶୋଷ ମେଣ୍ଟାଇବା ପାଇଁ, କ୍ଷତ ବିକ୍ଷତ ଦେହରୁ ଲହୁ ପୋଛିଦେବା ପାଇଁ ଲୁହ ନିଗାଡ଼ି ପାଣି ଟୋପେ ଦେଇଥିବେ । ଏତେ କଷ୍ଟ ପରେ କଣ ସ୍ନାନ ପୂର୍ଣ୍ଣିମାରେ ସେ ଆନନ୍ଦ ଲଭିଥିବେ ?

ମୋ ହୃଦୟ କହୁଛି ଉଚ୍ଚ ସ୍ୱରରେ ନ କହିଲେ ମଧ୍ୟ ସେ ଅନେକଙ୍କୁ ଜୀବନ୍ମୁକ୍ତ କରି, ତାଙ୍କ ଶେଷକୃତ୍ୟ ସାରି ସ୍ନାନ ପୂର୍ଣ୍ଣିମାରେ ଗାଧେଇଲା ବେଳେ ତାଙ୍କ କୋହ ଲୁହ ହେଇ ସେହି ପବିତ୍ର ଜଳରେ ବହି ଯାଇଥିବ । ଆଉ ସେହି ଦୁଃଖରେ ଏବେ ତାଙ୍କ ଜରୁଆ ଦେହରେ ଖଇ ଫୁଟିଲାଣି । ସେ ଭାବୁଥିବେ ଯାହା ହେଉ ଦେହ ଖରାପ ବାହାନାରେ କିଛି ଦିନ ଅଣସର ଘରେ ରହି ମୁଁ ଦୁର୍ଘଟଣାରେ ମର୍ମାହତ ଶୋକାକୁଳ ଲୋକମାନଙ୍କ ପାଇଁ ନୀରବରେ ଶୋକ ପାଳନ କରିବି ।

ଓଡ଼ିଆ ଭାଷାକୁ ବଞ୍ଚାଇବା ଲାଗି ଯେଉଁ ବାଲେଶ୍ୱର ଭୂଇଁର ମଣିଷ ପ୍ରଥମେ ଛାତି ଟେକି ଛିଡା ହୋଇଥିଲେ, ଆଜି ସେହି ମାଟିର ମଣିଷ ସମ୍ବେଦନଶୀଳତାର ଏଭଳି ଉଦାହରଣ ଆଗାମୀ ପୀଢ଼ିଙ୍କ ପାଇଁ ରଚିଦେଲେ ଯାହା ଇତିହାସ ପୃଷ୍ଠାରେ ନିଶ୍ଚୟ ଲିପିବଦ୍ଧ ରହିବ ଏବଂ ବାଲେଶ୍ୱର ଭୁଇଁରେ କେତେକାଳୁ ବହି ଆସୁଥିବା ସୁବର୍ଣ୍ଣରେଖା ନଦୀର ସୁଅରେ ସେମାନଙ୍କର ଆଶ୍ଵାସନାର ସ୍ଵର ଅନୁରଣିତ ହେଉଥିବ । ଆଜି ଏ ଅଧମ ଅକ୍ଷମ ସେହି ମାନବ ରୂପୀ ଦେବତା ମାନଙ୍କୁ ଏବଂ ସେହି ମାନବିକତାରେ ଲୁଚି ରହିଥିବା ଆମ ବଡ଼ ଠାକୁରଙ୍କୁ ଭୂମିଷ୍ଠ ପ୍ରଣାମ କରୁଛି


Shree Jagannatha Temple Puri, Puri

What do you think?

Your email address will not be published. Required fields are marked *

No Comments Yet.