A LITTLE OF MY STORY
(ଗାଳ୍ପିକ ଗୋପୀନାଥ ମହାନ୍ତିଙ୍କ ‘ଛାଇ ଆଲୁଅ’ ଗଳ୍ପ ସଂକଳନରୁ ଉଦ୍ଧୃତ ‘ପିମ୍ପୁଡ଼ି’ କ୍ଷୁଦ୍ରଗଳ୍ପର ଏକ ଅବଲୋକନ ! 1992 ମସିହାରେ ଏହା ପ୍ରକାଶିତ ।)

କାହାଣୀର ସାରାଂଶ ଯଦି ଗୋଟିଏ ଧାଡ଼ିରେ କହିବି ତେବେ ‘ପେଟର ଲାଗି ସବୁ ନାଟ’ | କାହାଣୀର ମୁଖ୍ୟ ନାୟକ ରମେଶ, ଜଣେ ବନ ସଂରକ୍ଷଣ ଅଧିକାରୀ (forest ranger ). 1992 ରେ ମୁଦ୍ରିତ ହେଲେ ମଧ୍ୟ ମୋର ମନେ ହେଉଛି ଏ କାହାଣୀ ଆଉ କିଛି ବର୍ଷ ପୂର୍ବର ଏକ ସାମାଜିକ ଚିତ୍ରଣ | ରମେଶ ଚାକିରୀରେ ଯୋଗ ଦେବା ସମୟରେ ଓଡ଼ିଶାରୁ ମାଡ୍ରାସକୁ ଅବୈଧ ଭାବରେ ଚାଲାଣ ହେଉଥିବା ଚାଉଳ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଥିଲା | ସେ ସେହି ଚୋରା ବେପାରୀ ବା ତସ୍କରଙ୍କୁ ଧରିବା ପାଇଁ ତାର ଚପରାସୀ ଏବଂ କେତେ ଜଣ ଭାରୁଆ ଆଦିବାସୀଙ୍କୁ ସାଙ୍ଗରେ ନେଇ ପାହାଡ଼ିଆ ଜଙ୍ଗଲର ଦୁର୍ଗମ ପଥ ଦେଇ ଅଭିଯାନ କରିଛି | ମନରେ ଦୃଢ଼ ବିଶ୍ୱାସ ଯେ ତା ପୂର୍ବରୁ କିଏ କେବେ ଏ ଦୁର୍ଗମ ପଥରେ ପାହାଡ଼ ଚଢ଼ି ନଥିବ | ଗରିବ ଘରୁ ସେ ଆସିଛି | ତା ଗାଁରୁ ବେଶୀ ଜଣ ଚାଟଶାଳୀ ଆଗକୁ ପଢ଼ିନଥିଲେ | ରମେଶର ଗର୍ବ ସିଏ ପାଠ ପଢ଼ିଛି, ମଣିଷ ହେଇଛି, ନିଜ ଗୋଡ଼ରେ ଛିଡା ହେଇଛି, ବଡ଼ ଚାକିରୀ କରିଛି ଯେଉଁଠି ଜି ହଜୁରୀ କରିବା ପାଇଁ ଅନେକ ଲୋକ ତା ତଳେ ଅଛନ୍ତି | ମନେ ମନେ ଖୁସି ହେଉଥିଲା ସେ ହିଁ ପ୍ରଥମେ ଆସିଥିବ ଏ ଘଞ୍ଚ ଜଙ୍ଗଲକୁ | ତେଣୁ ଗର୍ବରେ ଛାତି ଫୁଲି ଉଠିଲା ବେଳକୁ ବିନୁ କହିଲା, ‘ଆଜ୍ଞା ହାଟକୁ ଯିବାକୁ ଏ ରାସ୍ତା ପାଖ ପଡ଼େ ବୋଲି ଅନେକେ ଏ ରାସ୍ତାରେ ଯାଆନ୍ତି | କେତେ ବର୍ଷ ତଳେ ମୁଁ ବି ଆସି ଥିଲି ବଡ଼ ସାହେବଙ୍କ ସାଙ୍ଗରେ, ପାଞ୍ଚ ଦିନିଆ ଛାଉଣୀ ପଡ଼ିଥିଲା ଶିକାର କରିବା ପାଇଁ | ବଡ଼ ପର୍ବ ଥିଲା ସେ | ସେ ଜଙ୍ଗଲ ଆଉ କାହିଁ ?’ ରମେଶର ଆତ୍ମଭିମାନକୁ ଧକ୍କା ଲାଗିଲା | ସବୁ ଗର୍ବ ଦବିଗଲା | ସେ କେହି ବିଶେଷ ବ୍ୟକ୍ତି ନୁହେଁ, ସବୁ ମଣିଷ ପରି ସେ ମଧ୍ୟ ଜଣେ ମଣିଷ | ତା ଆଗରୁ କେତେ ଯାଇଛନ୍ତି ତା ପରେ କେତେ ଆସିବେ |

ଗୋଟେ ନିଶାରେ ଆଗକୁ ବଢ଼ିଲା ବେଳେ ଭାରୁଆ ମାନଙ୍କ ଟିକିଏ ବିଶ୍ରାମ କଥା ଭାବିନି । ପଛରେ ସେମାନେ କନ୍ଧ ଭାଷାରେ ଗରଗର ହେଉଥିଲେ, ଏ ଦେଶର ଲୋକ ଏ ଦେଶର ଚାଉଳ ନେଉଛନ୍ତି, ଆଉ ତାଙ୍କୁ ଚୋର ବୋଲି କହି ଚୋରି ଧରିବା ପାଇଁ ଏ ବାବୁଙ୍କର କି ଅଭିଯାନ । ଆଗକୁ ମାଡ଼ି ଗଲାବେଳକୁ କନ୍ଧ ମାନଙ୍କର ଗୀତ କିନ୍ତୁ କାନକୁ ମଧୁର ଶୁଭୁଥିଲା । ବିନୁକୁ ପଚାରିଲା ସେ ଗୀତର ଅର୍ଥ କଣ । ବିନୁ କହିଲା, ସେଇ ଯାଇଫୁଲ, କେବେ ମୋ ଘରକୁ ଆସିବୁ ଗୀତ । ରମେଶକୁ ଲାଗିଲା ଏ ବୟସରେ ମଧ୍ୟ ଏମାନେ ଏଭଳି ଗୀତ ଗାଉଛନ୍ତି । ବିନୁର ଉତ୍ତର ଆହୁରି ଆଶ୍ଚର୍ଯ୍ୟ କଲା , ‘ଏ ଦେଶରେ କେହି ବୁଢ଼ା ହୁଅନ୍ତି ନାହିଁ ।’ କନ୍ଧମାନେ କିନ୍ତୁ ତାଙ୍କର ଦୁଃଖ କଷ୍ଟର ଜୀବନ ସଂଘର୍ଷ ଗାଇ ଚାଲିଥିଲେ । ପେଟର ଭୋକ ଚିହ୍ନିବାକୁ ଭାଷାର ଅଭାବ ପଡ଼େନି, ହେଲେ ଗରୀବର ଦୁଃଖ ବୁଝିବାକୁ କାହାର ବା ସମୟ ପଡ଼ିଛି ? ବିନୁ ମଧ୍ୟ ଭାବୁଥିଲା ଏ ଦେଶର ସତେରେ କେହି ବୋଧେ ବୁଢ଼ା ହୁଅନ୍ତିନି ତାର ଦି ଦିଟା ସ୍ତ୍ରୀ କିନ୍ତୁ ପୁଅଟେ ନାହିଁ ବୋଲି ଦରବୁଢ଼ା ବୟସରେ ତୃତୀୟକୁ ବାହା ହେଇଛି । ପୁଅ ଆଶାରେ ଏମିତି କେତେ ପରିବାର ନିଜ ଘରେ ଗୋଟେ ପରେ ଆଉ ଗୋଟେ ଭୋକିଲା ପେଟ ଯୋଡ଼ି ଚାଲିଥିବେ ! ଭବିଷ୍ୟତର ଚିନ୍ତା ବୋଧେ କରିବାକୁ କାହାର ବୁଦ୍ଧି ଜୁଟେନି ।
ରମେଶ ଜାଣିବାକୁ ଚାହିଁଲା ଯଦି ଧାର ଧାର ହେଇ ଲୋକେ କେବେଠୁଁ ଚାଉଳ ବୋହି ନେଇ ଯାଉଛନ୍ତି ତେବେ ଆଜିଯାଏଁ ଧରା କେମିତି ପଡ଼ି ନାହାନ୍ତି ? ବିନୁ ଉତ୍ତର ନ ଦେଇ ଭାବୁ ଥିଲା ଏଇଠି ଯିଏ ଯାହାର ସ୍ୱାର୍ଥ ଦେଖେ । ଜନକଲ୍ୟାଣ କରିବାକୁ କାହାର ସମୟ ଅଛି । ଅନ୍ୟର ଚିତା କାଟି ନିଜର ଲାଭ ସମସ୍ତେ ଦେଖନ୍ତି । ସେ ନିଜେ ମଧ୍ୟ ଏଭଳି କେତେ ମହଣ ଚାଉଳ ଅଧିକ ଦରରେ ବିକି ଦେଇଛି ।
ରମେଶ କିନ୍ତୁ କହି ଚାଲି ଥାଏ, ଆଜି ‘ଆମେ’ ନିଶ୍ଚୟ ସେ ଚାଉଳ ଚୋରା କାରବାର ଧରିବା, ଦାନାଟିଏ ହେଲେ ସୀମା ସେପାଖକୁ ଯିବାକୁ ଦେବା ନାହିଁ । ‘ଆମେ’ କହିଲା ବେଳେ ରମେଶକୁ ମନେ ହେଉଥିଲା ସେ ଓଡ଼ିଆ, ତା ପଛରେ ଓଡ଼ିଶାର ଗୌରବମୟ ଇତିହାସ, ସେଥିରେ ରାଜ୍ୟବିସ୍ତାର, ଯୁଦ୍ଧ ଜୟ ଆଦି ତାର ଗର୍ବ । କିନ୍ତୁ ତାର ଅଭିଯୋଗ, ପଡୋଶୀ ରାଜ୍ୟର ଦୋଷରୁ ହିଁ ଆଜି ଓଡ଼ିଶା ରାଜ୍ୟ ଖତ ହୋଇ ଯାଇଛି ।

ମାଘର ପାଗ ଆଉ ରାସ୍ତାର ତାତି ମିଶି ବସନ୍ତର ଅନୁଭୂତି ଭିତରେ ସେ ଆଗକୁ ବଢ଼ି ଚାଲିଥିଲା । ରାସ୍ତାରେ ଗୋଟିଏ ଗାଁ ପଡ଼ିଲା । ପାଣି ଟିକିଏ ପିଇବା ପାଇଁ କଣ ଅଟକିଲା, ଗାଁ ଲୋକେ ଜଣେ ପରେ ଜଣେ ଆସି ଅନେକ ସେବାର ହସ୍ତାକ୍ଷର ଦେଇଗଲେ ସ୍ନେହର ସ୍ପର୍ଶରେ । କୋରାପୁଟରୁ ବାହାରିବା ଠାରୁ ଗାଁ ପରେ ଗାଁ, ସବୁ ଗାଁ ଚିହ୍ନା ଚିହ୍ନା, ମଣିଷ ଖୋଜେ ମଣିଷ ତାର ସ୍ନେହ ଅଜାଡ଼ି ଦେବାପାଇଁ । ଗୋଟେ ଗାଁ ଠୁ ଆଉ ଗୋଟେ ଗଲାବେଳେ ପଛ ଗାଁର ସ୍ନେହ ଖଣ୍ଡେ ଦୂର ଯାଏଁ ସାଥିରେ ଚାଲେ । ସ୍ନେହର ଜାତି ନାହିଁ, ମା ଭଉଣୀର ରୂପ ସବୁଠି ସମାନ । ସେ ସମ୍ପର୍କର ଭାବ ବୁଝିବାକୁ ଭାଷାର ଆବଶ୍ୟକତା ଲୋଡ଼ା ନାହିଁ ।
ଅନେକ ଭାବନା ମୁଣ୍ଡରେ ତାର ଯୋଜନାକୁ ଗୋଳମାଳ କରୁଛି । ତଥାପି ତାର ଚାକିରୀ ଅନୁଯାୟୀ ସେ ତାର କର୍ତ୍ତବ୍ୟ କରିବ । ଚୋର ଧରିବ । ଯେତେବେଳେ ସେମାନେ ହାଟ ପାଖରେ ପହଞ୍ଚିଛନ୍ତି ନିକଟ ଗଛମୂଳରେ ଗୋଟିଏ ପରିବାରର କରୁଣ ଦୃଶ୍ୟ ତାର ମନକୁ ଆନ୍ଦୋଳିତ କରିଛି । ନିହାତି ଜୀର୍ଣ୍ଣଶୀର୍ଣ୍ଣ ଶରୀର, ଅଲରା ବାଳ, କୋରଡ଼ରେ ପଶି ଯାଇଛି ଆଖି ଦୁଇଟି । ଦରିଦ୍ରତାର ସ୍ଵାକ୍ଷର ତାଙ୍କର ପ୍ରତ୍ୟେକ ହାବ ଭାବରେ ବାରି ହେଉଛି । ଏତିକିରେ ଛୁଆଟି ଭୋକ ଅସମ୍ଭାଳରେ କାନ୍ଦିଛି । ଅଇଁଠା ହାତରେ ଉଠିଆସି ମାଁ ଟି ତା ଛୁଆକୁ କ୍ଷୀର ପିଏଇବାକୁ ଲାଗିଲା । ପେଟରେ ଦାନା ନାହିଁ ବୋଧେ, ଚିର ଦର ଶୁଖିଲା । ଆଗନ୍ତୁକକୁ ଦେଖି କୌଣସି ପ୍ରତିକ୍ରିୟା କରିବା ପାଇଁ ତାର ଶରୀରରେ ଶକ୍ତି ନାହିଁ ହେଲେ ଚୀରା କାନିରେ ଛୁଆକୁ ଘୋଡ଼େଇ ସାଉଁଳେଇ ଦେଉଛି । ପାଖରେ ଆଉ ତିନି ପ୍ରାଣୀ, ହାଡ଼ୁଆ ବୁଢ଼ା ବାପା, ଧେଡ଼ିଆ ସ୍ୱାମୀ, ଭେଣ୍ଡା ପୁଅ ହେଇଥିବେ । ସେମାନେ ଶିଆଳି ପତ୍ର ଉପରେ ଧଳା ମଚମଚ ଭାତକୁ ଅତି ଆତୁର ହୋଇ କାତର ବୁଲା କୁକୁର ଖାଇଲା ଭଳି ଗେଫା ଗେଫା କରି ଗିଳି ଚାଲିଛନ୍ତି । ମନେ ହେଲା ପେଟରେ ଅନେକ ଦିନର ଭୋକ । ପଚାରି ବୁଝିଲା ସେମାନେ ସୀମାଞ୍ଚଳର । ବିନୁ କହିବା ଅନୁସାରେ ଏଭଳି ଅନେକ ଭୋକିଲା ପେଟ ଜଙ୍ଗଲରେ ଜୀବଜନ୍ତୁର ଡର ନ ମାନି ବୁଲୁଛନ୍ତି । ତା କହିବା ଅନୁସାରେ ପେଟର ଭୋକଠୁ ବଳି ଆଉ କିଛି ଡର ନାହିଁ ।
ରମେଶର ଓଡ଼ିଆ ସ୍ୱାଭିମାନ ଆହୁରି ସଂକୁଚିତ ହେବାରେ ଲାଗିଲା । ଯେଉଁ ସୀମାଞ୍ଚଳ ଦିନେ ଓଡ଼ିଶାରେ ଥିଲା ଆଜି ସେଠି ଖାଇବାକୁ ଭାତ ନାହିଁ ! ସେ ପାହାଡ଼ ଉଞ୍ଚା ଇତିହାସର ଗୌରବ ସଂକୁଚିତ ହେଇ ପଶିଗଲା ସେ ମାଁ’ର କୋରଡ଼ ଭିତରେ ଲୁଚି ଯାଇଥିବା ଆଖି ଭିତରେ । ତା ନିଜର ଓଡ଼ିଆ ଗର୍ବ, ବିଶ୍ୱାସ, ସ୍ୱାଭିମାନ ସବୁ ହଜି ଯାଉଥିଲେ ଦି ମୁଠା ଚାଉଳରେ । ଭୋକ ଲାଗିଲେ କି ଦୁଃଖ ପଡ଼ିଲେ ସମସ୍ତେ ଏକା ପରି ଲାଗନ୍ତି । ମୁଣ୍ଡ ନୁଆଁଇ ଆଗକୁ ବଢ଼ିଲା । ଭାରୁଆଙ୍କୁ ଭୋକ ଲାଗୁଥିବ ଏକଥା ଭାବିବାକୁ ତାର ଆଉ ତର ନାହିଁ । ସେ ଚୋର ଧରିବ, ନ୍ୟାୟ କରିବ । ହେଲେ ନ୍ୟାୟର ସଂଜ୍ଞା କଣ ସେ ଭୁଲି ଭୁଲି ଯାଉଛି ।
ଯେବେଠୁଁ ବାହାରିଛି ଠାଏ ଠାଏ ରାସ୍ତାରେ ସେ ଆଦିବାସୀଙ୍କ ସଂଘର୍ଷ ଓ ଅସହାୟତାକୁ ହୃଦୟଙ୍ଗମ କରିଛି । ପେଟର ଭୋକ ରାଜ୍ୟର ସୀମା ସୀମାନ୍ତ ଦେଖେନି । ତାର ଭୋକ ଚିହ୍ନିବା ପାଇଁ କୌଣସି ଭାଷାର ଆବଶ୍ୟକତା ପଡେ ନାହିଁ । ତା ପିଲାଛୁଆଙ୍କ ପେଟରେ ଟିକିଏ ଦାନା ପାଇଁ ଚୋରି ହେଉ କି ଭିକ, ସେ ତାର ଅର୍ଥ ବା ପାର୍ଥକ୍ୟ ବୁଝେ ନାହିଁ । ସେ ଖାଲି ବୁଝେ ମୁଠେ ଚାଉଳର ମୂଲ୍ୟ । ଆଇନ, ନିୟମ, କଚେରୀ ସବୁକୁ ମାନିବାକୁ ହେବ, କିନ୍ତୁ ମନ ମାନିବାକୁ ପଛଘୁଞ୍ଚା ଦେଉଛି । ସେତେବେଳେ ସେମାନେ ହାଟ ପାଖରେ ପହଂଚିଛନ୍ତି ।
ଜନ୍ଦାପିମ୍ପୁଡ଼ି ପରି ମଣିଷ ମାଳମାଳ କୁଆଡ଼ୁ ଆସୁଛନ୍ତି ଭାର ଧରି ଅନ୍ଧାରରେ ଲୁଚି ଯାଉଛନ୍ତି । ହାଟର ଗୁଡ଼ାଏ ରଙ୍ଗ ଗୁଡ଼ାଏ ଗନ୍ଧ । ପାଖରେ କେତେ କନ୍ଧ, କୁଷ୍ଠରୋଗୀ, ୟଜରୋଗୀ ଲଦାଲଦି, ମାଛି ଗଣଗଣ, ସୁଖୁଆର ଗନ୍ଧ, ମଦର ଗନ୍ଧ । କି ବିଭତ୍ସ ସେ ଦୃଶ୍ୟର ରଙ୍ଗ । ତା ଆଖି ମିଶିଛି ଗୋଟିଏ କନ୍ଧ ଦେଶର କଉତୁକି ଗୋରୀ ଯୁବତୀ ସହ ଯାର ଗୋଟେ ଗାଲରେ ୟଜ ଘା, ହେଲେ ଆଖିରେ ଯୌବନର ଚପଳ ରଙ୍ଗ । ସତେ ଯେମିତି ଡାକୁଛି, ଆ ମୋ ସାଥେ ଖେଳିବୁ । ଆଖି ବୁଲାଇ ଆଣିଲା ପାଖ ବସ୍ତିରେ ମେଞ୍ଚେ ପିଲା । ଢୋଲ ପିଟି ଖେଳୁଛନ୍ତି, କା ଦୁଆରେ ଦଉଡ଼ିଆ ଖଟ ପଡ଼ିଛି, କେଉଁଠି ବୁଢ଼ାଟିଏ ଦୂରରେ ବାନ୍ତି କରୁଛି ଆଉ ବୁଢ଼ୀ ପିଠି ଆଉଁସି ଦେଉଛି, ମ୍ୟାଲେରିଆ ଜର ବୋଧେ । ମାଘର ଖରା ଛାଇ ଲମ୍ବିଲାଣି । ଗୋଟେ ଗାଁର ସାଧରଣ ସରଳ ଚିତ୍ର ।
ଏତିକିରେ ଶୁଭିଛି କାନ୍ଦଣା ରୋଳ ଗୋଟିଏ ଚାଳ ଘରୁ । ବାକି ସମସ୍ତେ ଛୁଟି ଆସିଲେ ସେଥିରେ ଯୋଗଦେବାକୁ । କିଏ ଜଣେ ମ୍ୟାଲେରିଆରେ ମରିଗଲା ବୋଧେ । ବିନୁ କହିଲା, ଏମିତି ନିତି ନିତି ଲୋକେ ମରୁଛନ୍ତି, ଏଇଟା କୋଉ ବଡ଼ କଥା । ଚାଲ ଚୋର ଧରିବାକୁ ସିପାହୀ ଯୋଗାଡ଼ କରଦେଇଛି ।
ରମେଶର ଆଖି ଆଗରେ ତା ଗାଁ ଦୃଶ୍ୟ ଖେଳିଗଲା । କିଛି ଅଲଗା ନୁହେଁ । ଜନ୍ମ, ମୃତ୍ୟ, ପ୍ରଜନନ ଚକ ପରି ଜୀବନ ଚକ୍ର ଗଡ଼ି ଚାଲିଛି । ଶାନ୍ତିପ୍ରିୟ ମଣିଷ କଜିଆ କି ଅନିଷ୍ଟ ନ କଲେ ବି ଜୀବନର କଷଣ ସହେ । ତା ଗାଁରେ ବି କେତେ ଏମିତି ରାତି ଅଧିଆ ଯାଆନ୍ତି ମଶାଣିକୁ ନିଜ ଲୋକଙ୍କୁ ପୋଡ଼ିବା ପାଇଁ । ସେଇ କାନ୍ଦଣାର ରୋଳ । କାଉଁରିଆ ନିଆଁ ଜାଳି ବୋଲନ୍ତି – ଅନ୍ଧାରରେ ଆସ ଆଲୁଅରେ ଯାଅ । ଦୁଃଖରେ ସାରା ଗାଁ ସମଦୁଃଖୀ ।
ହାଟରେ ଗହଳ କମି ଆସୁଛି । ଧାର ଧାର ଲୋକ ଚାଲିଛନ୍ତି ଅନ୍ଧାର ଆଡ଼କୁ । ସମସ୍ତଙ୍କୁ ସେ ଯେପରି ଚିହ୍ନେ, ତାଙ୍କ ପେଟର ଭୋକ, ଜୀବନର କଷଣ, ପେଷଣ ସବୁ ଚିହ୍ନେ । ସତେ ଯେପରି ଏ ପିମ୍ପୁଡ଼ିର ଧାର । ମୁହଁ ଚାହାଁ ଚାହିଁ କରି ସେମାନେ ଚିହ୍ନନ୍ତି ସେ ଶୁଖିଲା ହସର ଧାର । ସେମାନଙ୍କ ଦେହରେ ହାଡ଼ ଖଣ୍ଡେ ଲାଗିଛି, ନୁଖୁରା ବାଳ, ଚାଉଳ ବୋହି ନେଇ ଯାଉଛନ୍ତି ଏ ଦେଶରୁ ତଳ ଦେଶକୁ । ମଣିଷ ନୁହଁ ପଲେ ପ୍ରେତର ଛାଇ ବୋଧେ । ସେପଟେ ମଢ଼ ଚାରି କାନ୍ଧରେ ଉଠିଲାଣି .. “ଅଲୋ ଅଲୋ ହାତେୟୁଁ ହାତେୟୁଁ ..ପାପୁ ” ରାହା ଧରିଛି ସମଦୁଃଖୀ ସ୍ୱର । ପୁଣି ପାଇକ ସିପାହୀଙ୍କ ଗର୍ଜନ ଶୁଭିଛି..”ଖୋଲ ଖୋଲ କଣ ନେଉଛ ଦେଖାଅ ।” 
ରମେଶର ମୁଣ୍ଡ ଭିତରେ ସବୁ ସ୍ୱର ଘୋଳେଇ ମିଳେଇ ମିଶି ଯାଉଥିଲେ । ବାହାରେ ଶୁଭୁଥିଲା ‘ଏ ବାବୟା ଏ ତଣ୍ଡ୍ରି’ ଗଡ଼ ଗଡ଼ କରି କହି ଯାଉଥିଲେ ତାଙ୍କ ଭାଷାରେ, ଆଖିରେ ଅନୁନୟ ବିନୟର ଭଙ୍ଗୀ । ଭାଷା ନ ବୁଝିଲେ ବି ସେ ବୁଝୁଥିଲା ଅଭାବର ଆର୍ତ୍ତନାଦ, ସେମାନଙ୍କ ଚେହେରାରେ ଚିହ୍ନି ହେଉଥିଲା ଚିହ୍ନା ପେଟର ଭୋକ । ଟିକେ ଆଧାର ଏକାଠି କରିବା ପାଇଁ ଖାଲି ପିମ୍ପୁଡ଼ି ପରି ମଣିଷ ମନ୍ଦା ବାନ୍ଧୁଛି, ସରୁ ଧାଡ଼ିରେ ଅନ୍ଧାର, ଆଲୁଅ, ସହର, ଜଙ୍ଗଲ ନ ମାନି ଚାଲିଛି । ଏଠାରେ ଇତିହାସର ଗର୍ବ ମୁଣ୍ଡ ନୁଆଁଉଛି । ସେ ଭାବର ଭାଷା ଏକା । ବିନୁ କହୁଥିଲା ଧରନ୍ତୁ.. ଧରନ୍ତୁ.. ସେମାନେ ଚାଉଳ ଚୋରି କରି ନେଇଯାଉଛନ୍ତି । କିନ୍ତୁ ରମେଶ ଆଖି ତଳ କରି କହୁଥିଲା ଯା..ଚାଲି ଯା..ଛାଡ଼ି.. ଦେ..ବେଳ ହେଲାଣି ।
‘ପିମ୍ପୁଡ଼ି’ ଏକ ବାସ୍ତବବାଦୀ ଓ ପ୍ରତୀକଧର୍ମୀ କ୍ଷୁଦ୍ରଗଳ୍ପ । ଡକ୍ଟର ଗୋପୀନାଥ ମହାନ୍ତିଙ୍କ ବିସ୍ତୃତ ଦୃଶ୍ୟଚିତ୍ରଣ ଶୈଳୀ କାହାଣୀର ଚରିତ୍ରମାନଙ୍କୁ ଜୀବନ୍ତ କରିଦିଏ । ପାଠକକୁ ବାସ୍ତବିକତାର ସହିତ ପରିଚୟ କରାଏ । ବିବେକକୁ ଆନ୍ଦୋଳିତ କରିଦିଏ । ଏଠାରେ କାହାଣୀର ଅନ୍ତଃସ୍ୱର ଖୁବ ମାର୍ମିକ । ଲେଖକ ଏଠାରେ ମଣିଷକୁ ପିମ୍ପୁଡ଼ି ସହ ତୁଳନା କରିଛନ୍ତି କାରଣ ହଜାର ହଜାର ଲୋକ ଜନ୍ମ ଆଉ ମୃତ୍ୟୁ ଭିତରେ କେବଳ ପେଟର ଭୋକ ମାରିବାପାଇଁ କଷଣ ସହେ, ଅନବରତ ପରିଶ୍ରମ ଓ ସଂଘର୍ଷ କରିଚାଲେ ଠିକ ଯେପରି ପିମ୍ପୁଡ଼ିମାନେ ମନ୍ଦା ବାନ୍ଧି ଚାଲୁଥାନ୍ତି ଆଧାର ଖୋଜିବାରେ । ରମେଶ ପରି ଅନେକେ ହୁଏତ ଓଡ଼ିଶାର ଅତୀତ ଗୌରବକୁ ନେଇ ଗର୍ବ କରି ଆସୁଥିବେ, କିନ୍ତୁ ଇତିହାସ ଆଉ ବାସ୍ତବତା ଭିତରେ ଆକାଶ ପାତାଳର ଫରକ। ଗୋପୀନାଥ ମହାନ୍ତି ପ୍ରାୟତଃ ତାଙ୍କର ସବୁ ଗଳ୍ପ ଓ ଉପନ୍ୟାସରେ ସମାଜକୁ ଦର୍ପଣ ଦେଖେଇବାରେ ପ୍ରୟାସ କରନ୍ତି ।









