A LITTLE OF MY STORY
୨୦୨୦ ମସିହାର ଫେବୃଆରୀ ମାସ । ବିଗତ ତିନି ସପ୍ତାହ ଧରି ସ୍ପେନ ଓ ପର୍ତ୍ତୁଗାଲ ରେ ସ୍ୱାମୀଙ୍କ ସହିତ ଛୁଟି ବିତାଇ ଆସିଥିଲି | ନୂଆ ଜାଗା, ନୂଆ ଜୀବନ ଆଉ ନୂଆ ଉନ୍ମାଦନା । ଆମ ଭଳି ଶହ ଶହ ଭ୍ରମଣରତ ପର୍ଯ୍ୟଟକ ଘୁରୁଥିଲେ ସେଠି | ମନେ ହେଉଥିଲା ଏକ ମତୁଆଲା ଜନ ସମୁଦ୍ର ବେଖାତିର ଭାବରେ ଉଚ୍ଛ୍ଵାସର ଲହରୀରେ ମାଡି ଚାଲିଛି | ସମସ୍ତ ପର୍ଯ୍ୟଟନ ସ୍ଥଳ, ସଂଗ୍ରହାଳୟ, ବଜାର ଆଉ ପାର୍କରେ ସ୍ୱାଭାବିକ ଭିଡ଼ | ରାସ୍ତାର ଉଭୟ ପାର୍ଶ୍ବରେ ରେସ୍ତୋରାଁ ଗୁଡିକରେ ଗହଳଚହଳ, ଯାତ୍ରୀମାନଙ୍କ ହସରୋଳ ଆଉ କୋଳାହଳରେ ଲେଶ ମାତ୍ର ଭୟ ଓ ଆଶଙ୍କାର ଚିହ୍ନ ଦେଖା ଯାଉ ନ ଥିଲା | କାହିଁକି ବା ଥାଆନ୍ତା ? ସମସ୍ତେ ଆମୋଦ ପ୍ରମୋଦରେ ମଗ୍ନ ଥିଲେ ଏବଂ ନିକଟ ଭବିଷ୍ୟତରେ ଆସୁଥିବା କରୋନା ମହାମାରୀର ଚେତାବନୀ ଖବର ସବୁକୁ ଅଣଦେଖା କରି ଦେଉଥିଲେ | ଆମେ ଦୁଇ ଟୁଆଁଟୁଇଁ ମଧ୍ୟ ଭ୍ରମଣ ଆନନ୍ଦରେ ଦୈନନ୍ଦିନ ଜୀବନର ସାମ୍ପ୍ରତିକ କାର୍ଯ୍ୟ ସବୁ ସ୍ଥଗିତ କରି ଦେଇଥିଲୁ | ତେଣୁ ଖବର କାଗଜ ପଢିବା ବା ଟିଭିରେ ସମ୍ବାଦ ଦେଖିବାରେ ବିରାମ ଲାଗିଯାଇଥିଲା, ଆଉ ଗୋଟିଏ ମହାମାରୀ ଯେ ଧୀରେ ଧୀରେ ବ୍ୟାପି ବିଶ୍ଵକୁ କବଳିତ କରିବାକୁ ଯାଉଛି ଏ ବିଷୟରେ ଆମେ ବିଶେଷ ଖବର ରଖି ନ ଥିଲୁ |
ମାର୍ଚ୍ଚ ମାସରେ ଛୁଟି ସାରି ଘରକୁ ଫେରିବା ପରେ ଭ୍ରମଣର ସ୍ବପ୍ନ ରାଜ୍ୟରୁ ବାସ୍ତବ ଦୁନିଆକୁ ଓହ୍ଲାଇ ଆସିବାକୁ ବେଶି ସମୟ ଲାଗି ନ ଥିଲା | ଯେ କୌଣସି ଖବରକାଗଜର ପ୍ରଥମ ପୃଷ୍ଠାରେ, ଟିଭି ସମ୍ବାଦର ମୁଖ୍ୟ ଶିରୋନାମାରେ କେବଳ ଗୋଟାଏ ଖବର, ‘ଚାଇନାର ଊହାନ ସହରରେ କରୋନା ରୋଗର ଆତଙ୍କ | ଶତାଧିକ ଲୋକ ଏକ ଅଦୃଶ୍ୟ ଭୁତାଣୁ ଦ୍ୱାରା ରୋଗଗ୍ରସ୍ତ ହୋଇ ଜୀବନ ଓ ମୃତ୍ୟୁ ସହ ଲଢେ଼ଇ କରୁଛନ୍ତି |’ ଯେହେତୁ ଏ ରୋଗ ପ୍ରଥମ ଥର କରି ବିଶ୍ୱରେ ଦେଖା ଦେଇଛି ତେଣୁ ଚିକିତ୍ସକ ମାନଙ୍କ ପାଖରେ ଉପଚାର ଖୋଜିବାକୁ ଅନେକ ସମୟ ଦରକାର | କିନ୍ତୁ କରୋନା ଭୁତାଣୁ ମଣିଷକୁ ସମୟ ଦେବାପାଇଁ ପ୍ରସ୍ତୁତ ନଥିଲା । ସହରରୁ ସହରକୁ, ରାଜ୍ୟରୁ ରାଜ୍ୟକୁ, ଦେଶରୁ ବିଦେଶକୁ ଜଙ୍ଗଲୀ ନିଆଁ ପରି ବ୍ୟାପିବାକୁ ଲାଗିଲା ଏଇ ରୋଗ । ସମଗ୍ର ପୃଥିବୀକୁ ଅପ୍ରତ୍ୟାଶିତ ଭାବରେ ଗ୍ରାସ କରିବାକୁ ଲାଗିଲା ସିଏ | WHO ଘୋଷଣାପତ୍ର ଜାରି କଲା ଯେ ଏହା କେବଳ ଖାଲି ଚାଇନାର ସମସ୍ୟା ନୁହେଁ, ଏହା ଏକ ମହାମାରୀ ।ୟୟ ତେଣୁ ପୃଥିବୀର ସମସ୍ତ ଦେଶ ସଚେତନଶୀଳ ହେବା ଆବଶ୍ୟକ | ଯେହେତୁ ବର୍ତ୍ତମାନର ବିଶ୍ଵରେ, ଦେଶ ମାନଙ୍କର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ପରସ୍ପର ଉପରେ ନିର୍ଭରଶୀଳ, ତେଣୁ ଆଜିକାଲି ପଡିଶା ଅଡିଶା ବୁଲିଗଲା ପରି ଲୋକମାନେ ବିଦେଶ ଯାତ୍ରା କରୁଛନ୍ତି । ଏହି ଜିନିଷଟି ଏଇ ଭୁତାଣୁର ସଂକ୍ରମଣରେ ସାହାଯ୍ୟ କଲା | ଏହାର ଆଗମନକୁ ପ୍ରତିରୋଧ କରିବାର ଏକମାତ୍ର ବିକଳ୍ପ ଥିଲା ସୀମାବନ୍ଦୀ | ଆମେରିକାରେ ମଧ୍ୟ ଏହି ନିୟମ ରାତାରାତି ଲାଗୁ ହେଇଥିଲା ଅନିର୍ଦ୍ଦିଷ୍ଟ କାଳ ପାଇଁ |
ମୋର ସାନ ଝିଅ ସେତେବେଳେ ପ୍ୟାରିସରେ ପଢୁଥାଏ | ରାତି ଅଧରେ ତାର ଟିକଟ ବନ୍ଦୋବସ୍ତ କରି ତାକୁ ଫେରାଇ ଆଣିବାର ବ୍ୟବସ୍ଥା କରିଥିଲୁ | ବଡ଼ ଝିଅ ମଧ୍ୟ କଲେଜରୁ ତିନି ଦିନିଆ ବସନ୍ତ ଛୁଟିରେ ଆସିଥିଲା | ହଠାତ୍ ଆମେରିକାର ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରି ଦିଆଗଲା ଓ ଅନେକ ଉଡାଣ ବାତିଲ ହୋଇଗଲା । ଫଳରେ ସେ ତାର ଶିକ୍ଷାୟତନକୁ ଫେରି ଯାଇ ପାରି ନ ଥିଲା | ଅତ୍ୟଧିକ ମାତ୍ରାରେ ଭୟ ଯେତେବେଳେ ମନରେ ଭିତ୍ତିପ୍ରସ୍ତର ବାନ୍ଧି ଘର କରିଯାଏ, ତାହା କେବଳ ମନକୁ ବିବ୍ରତ ହିଁ କରି ଥାଏ | ମା ମନ ମୋର ଦି ଝିଅ, ସ୍ୱାମୀଙ୍କୁ ଘରେ ସୁରକ୍ଷିତ ଦେଖି କିଛି ପରିମାଣରେ ଶାନ୍ତ ନିଶ୍ଚୟ ହୋଇଥିଲା, କିନ୍ତୁ ଏହି ମହାମାରୀର ଭୟ ଆଷାଢ଼ର ଘନ ମେଘପଟଳ ପରି ମୁଣ୍ଡ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଥଳଥଳ ହେଉ ଥିଲା ନିରନ୍ତର ଭୟଭୀତ କରି |
ସୀମା ବନ୍ଦ ହେବା ପରେ ମଧ୍ୟ କୌଣସି ଦେଶ ଏହି ମହାମାରୀକୁ ଅଟକାଇ ରଖି ପାରି ନ ଥିଲେ | ଏହା ଥିଲା ଏକ ଅଜଣା ଅଦୃଶ୍ୟ ଶତ୍ରୁ ଯାହାର ନାମ ଦିଆ ଯାଇଥିଲା କୋଭିଡି-୧୯ | ଏପରି ଶତ୍ରୁ ସହିତ ଲଢ଼ିବାର ରଣନୀତି କୌଣସି ଇତିହାସ ପୃଷ୍ଠାରେ ଉଲ୍ଲେଖ ନାହିଁ | କେବଳ ନିଜକୁ ବଞ୍ଚାଇ ରଖିବାର ଚେଷ୍ଟା ହିଁ ଥିଲା ସମୟୋପଯୋଗୀ ଉପାୟ | ହସ୍ପିଟାଲରେ ହୁ ହୁ କରି କୋଭିଡ ରୋଗୀ ସଂଖ୍ୟା ବଢିବାକୁ ଲାଗିଲେ, ଏବଂ ସେଇ ଅନୁପାତରେ ଚିକିତ୍ସା ଉପକରଣ ମାନ ଅଭାବ ହେବାକୁ ଲାଗିଲା | ଏତେ ସଂଖ୍ୟାରେ ରୋଗୀଙ୍କୁ ଦେଖିବା ଲାଗି କୌଣସି ହସ୍ପିଟାଲ କେବେ ପ୍ରସ୍ତୁତ ନଥାଏ | ଉପଚାରର ଅନୁସନ୍ଧାନ ପାଇଁ ଡାକ୍ତରମାନଙ୍କୁ ମଧ୍ୟ ସମୟ ଆବଶ୍ୟକ ପଡୁଥିଲା | ତେଣୁ ହସ୍ପିଟାଲରେ କିପରି କମ କୋଭିଡ ରୋଗୀ ଦାଖଲ ହେବେ, ସେଥିପାଇଁ ସେମାନେ ଘରେ ଏ ରୋଗକୁ ଚିକତ୍ସା କରିବାର ନୂଆ ନୂଆ ସୁବିଧା ଉପାୟମାନ ସମ୍ବାଦ ମାଧ୍ୟମରେ ଜନ ସମୂହଙ୍କୁ ଜଣାଇ ଦେଉଥିଲେ | ସବୁଠାରୁ ଜରୁରୀ ଥିଲା ମୁହଁ, ନାକ, ପାଟିକୁ ଘୋଡ଼ାଇ ରଖିବା, ହାତକୁ ବାରମ୍ବାର ଧୋଇବା, କାହାକୁ ଅବା କୌଣସି ବସ୍ତୁକୁ ନ ଛୁଇଁବା ଇତ୍ୟାଦି ଇତ୍ୟାଦି ଉପାୟ | ଭରସା ଥିଲା କିଛି ଗୋଟାଏ ନିଦାନ ବାହାରିବ; ହେଲେ ଆଶାରେ ହିଁ ବଞ୍ଚୁଥିଲା ମଣିଷ । କାରଣ କେହି ଏ ବିଷୟରେ ନିଶ୍ଚିତ ନ ଥିଲେ |
ଏକ ଅଜ୍ଞାତ ଭୟ ଘେରି ରହିଥିଲା ଚାରି ଆଡେ | ଏତିକି କେବଳ ସ୍ପଷ୍ଟ ଥିଲା ଯେ, ଏ ଭୁତାଣୁ ଯଦି ଶରୀର ଭିତରକୁ ପଶିଆସେ ତେବେ ଥଣ୍ଡା, ଖାସ, ଜର ଆଦି ଉପସର୍ଗ ସହ ଶ୍ୱାସ ପ୍ରଶ୍ୱାସକୁ ଅତି ଶୀଘ୍ର ଅବରୋଧ କରିବାରେ ସକ୍ଷମ ଥିଲା | ଏହା ଥିଲା ଏକ ନିର୍ଦ୍ଦୟୀ, ପ୍ରାଣଘାତକ ଭୁତାଣୁ | ଗାଁ ଲୋକ ହୁଏତ କହିବେ ଭୁତ ତଂଟି ଚିପି ଦେଉଛି କିମ୍ବା ଜଣେ ତାନ୍ତ୍ରିକ କହି ପାରେ ମାତା ପାର୍ବତୀ ବୋଧେ କାଳୀ ରୂପରେ କ୍ରୋଧାଗ୍ନିରେ ଜଳି ନର ସଂହାର କରିବାରେ ଲାଗିଛନ୍ତି | ଯିଏ ଯାହା କହୁ ପଛେ ଏହି ମହାମାରୀ ଥିଲା ଏକ ପ୍ରକୃତ ବାସ୍ତବତା | ପ୍ରତି ଦିନ ଅନେକ ବନ୍ଧୁଙ୍କର ହସ୍ପିଟାଲରେ ଦାଖଲ ହେବା ଅବା ମୃତ୍ୟୁ ଖବର ଶୁଣି ପ୍ରାର୍ଥନା ସଭାମାନ ଜୁମ ମାଧ୍ୟମରେ ଆୟୋଜନ ହେଉଥିଲା | ଯେଉଁ ବନ୍ଧୁ ବର୍ଗ, ପ୍ରିୟ ପରିଜନ ମାନଙ୍କୁ ଆମେ ଦିନେ ହୃଦୟ ଖୋଲି ଆଲିଙ୍ଗନ କରୁଥିଲୁ ଆଜି ସେମାନଙ୍କ ଘଡ଼ିସନ୍ଧି ମୁହୂର୍ତ୍ତରେ ତାଙ୍କ ପାଖକୁ ଯିବା ବି ସମ୍ଭବ ନ ଥିଲା |
ଅତ୍ୟାବଶ୍ୟକ ଦୋକାନ, ଅଫିସ, କୃଷି, ହସ୍ପିଟାଲ ଆଦି ଛାଡି ବାକି ସବୁ ବନ୍ଦ | ଅଖ ଚକ ବନ୍ଦ ହେଲେ ପେଟର ଭୋକ କଣ ବନ୍ଦ ହୁଏ ? ତେଣୁ ଘର ଭିତରେ ସମସ୍ତଙ୍କର ଅନଲାଇନ ଅଫିସ, କଲେଜ, ସ୍କୁଲ କ୍ଲାସ ହେବା ଆରମ୍ଭ ହେଲା | ଲୋକ ମାନଙ୍କୁ ଲାଗିଥିଲା ହୁଏତ କିଛି ସପ୍ତାହ ପରେ ଜୀବନ ପୁଣି ସାଧାରଣ ପରିସ୍ଥିତିକୁ ଫେରି ଆସିବ | ତେଣୁ ପ୍ରଥମେ ପ୍ରଥମେ ସାଙ୍ଗମାନେ whatsapp ଗ୍ରୁପରେ ନୂଆ ନୂଆ ରୋଷେଇର ବିଧି ବାଣ୍ଟିବାକୁ ଲାଗିଲେ | କିଏ କଣ ନୂଆ ଖାଦ୍ୟ ବନେଇ ଘର ଲୋକଙ୍କୁ ଖୁଆଉଛି ତାର ଫଟୋମାନ ପୋଷ୍ଟ କରି ଗର୍ବିତ ହେବାକୁ ଲାଗିଲେ | ଯେଉଁ ପରିବାର କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଅନେକ ଦିନ ଧରି ଦେଖା ହେଉ ନଥିଲେ ବର୍ତ୍ତମାନ ସେମାନେ ଗୋଟିଏ ଛାତ ଭିତରେ ମିଳିମିଶି ରହିବାରେ ଆନନ୍ଦ ଖୋଜିଲେ | ଆମ ପରିବାର ମଧ୍ୟ ସେଥିରୁ ବାଦ ଯାଇ ନ ଥିଲା |
କିନ୍ତୁ ଅତି ସର୍ବତ୍ର ଗର୍ହିତମ | ମହାମାରୀ ଯେତେ ଦୀର୍ଘ ଦିନ ଧରି ଲମ୍ବି ରହିବାର ସମ୍ଭାବନା ଦେଖାଦେଲା ସେତେ ଲମ୍ବା ହୋଇ ଉଠିଲା ସଉଦା ଦୋକାନର ଧାଡି, ସେତେ ଅଧିକ ହୋଇ ଉଠିଲା ରୋଷେଇ ଆଉ ଘର ସଫା କାମ | ଧୀରେ ଧୀରେ ଅନ୍ୟ ଏକ ସମସ୍ୟା ମୁଣ୍ଡ ଟେକି ଉଠିଲା | ମନ ଭିତରେ କରୋନର ଆତଙ୍କ । ତା ସହିତ ଦୀର୍ଘ ସମୟ ଧରି ବିନା ବିରାମରେ ଭିଡିଓ ମାଧ୍ୟମରେ ଚାକିରୀର କାର୍ଯ୍ୟମାନ କରିବା ନୂତନ ଆହ୍ଵାନ ସୃଷ୍ଟି କରିଥିଲା । ତା ସହିତ ଚାକିରୀ ହରାଇବାର ସମ୍ଭାବନା, ଶାରୀରିକ ଓ ମାନସିକ କ୍ଲାନ୍ତି, ଚାରି କାନ୍ଥ ଭିତରେ ବନ୍ଦୀ ହୋଇ ରହିବାର ବିବଶତା ଇତ୍ୟାଦି ହେତୁ ବିଭିନ୍ନ ଜଟିଳ ମନସ୍ତାତ୍ତ୍ୱିକ ସମସ୍ୟାମାନ ସୃଷ୍ଟି ହେବାକୁ ଲାଗିଲା |
ସ୍ୱାଭାବିକ ଯୁଦ୍ଧରେ ସୈନିକମାନେ ଲୋକଙ୍କର ସୁରକ୍ଷା ପାଇଁ ନିଜ ସ୍ୱାର୍ଥକୁ ବଳି ଦେଇଥାନ୍ତି | କିନ୍ତୁ କରୋନାର ଯୁଦ୍ଧରେ ଡାକ୍ତର, ନର୍ସ, ହସ୍ପିଟାଲ ଷ୍ଟାଫ, ଖାଦ୍ୟ ଯୋଗାଣ କର୍ମଚାରୀ, ପୋଷ୍ଟମ୍ୟାନ ଆଦି ମାନେ ଥିଲେ ଆଗ ଧାଡିର ସୈନିକ | ମୋର କୌଣସି ବିଶେଷ ଦକ୍ଷତା ନଥିଲା | ମୁଁ ଚାକିରୀ ନ କରୁଥିଲେ ବି, ଏହି ପରିସ୍ଥିତିରେ କିଛି କରିବା ପାଇଁ ମୋ ମନରେ ଅସ୍ଥିରତାର ଆଲୋଡନ ସୃଷ୍ଟି ହେବାକୁ ଲାଗିଲା | ମନକୁ ଶାନ୍ତ ରଖିବା ଲାଗି କୌଣସି ନକାରାତ୍ମକ ଖବର ନ ପଢିବାକୁ ବା ନ ଶୁଣିବାକୁ ମୁଁ ଚେଷ୍ଟା କରିବାରେ ଲାଗିଲି | ଅଧିକାଂଶ ସମୟ ମୁଁ ମନ୍ତ୍ରପଠନ ଓ ଧ୍ୟାନରେ କାଟିବାକୁ ଲାଗିଲି | ସେତେବେଳେ ଦେଖାଗଲା ଲକଡାଉନର ପାର୍ଶ୍ଵ ପ୍ରତିକ୍ରିୟା – ଅର୍ଥନୈତିକ ଚାହିଦା ଓ ଯୋଗାଣ ଶୃଙ୍ଖଳାରେ ଅସନ୍ତୁଳନ | ତା ଫଳାଫଳରେ ମୁଖ୍ୟତଃ ତୁଣ୍ଡି ଯୋଗାଣ ବନ୍ଦ ହୋଇଗଲା | କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ଜରୁରୀ ଥିଲା | ବୋଷ୍ଟନର ଗୋଟାଏ ବଡ଼ ହସ୍ପିଟାଲ ମାସ୍କ ତିଆରି କରିବା ପ୍ରଣାଳୀ ଭିଡିଓ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ଜଣାଇ ଥିଲେ ଏବଂ ସାଧାରଣ ଜନତାଙ୍କଠାରୁ ସାହାଯ୍ୟ ଲୋଡ଼ିଥିଲେ |
କିଛି ବର୍ଷ ତଳେ ମୋ ଝିଅ ସ୍କୁଲର ଏକ ପ୍ରୋଜେକଟରେ କ୍ଲାରା ବାରଟନ (ଯେଉଁ ନର୍ସ ରେଡକ୍ରସ ଆରମ୍ଭ କରିଥିଲେ) ଭୂମିକାରେ ବକ୍ତୃତା ଦେଇଥିଲା | ତେଣୁ ମୁଁ ତାଙ୍କ ବେଶଭୂଷା ତିଆରି କରିବା ଲାଗି ଯେଉଁ କନା କିଣିଥିଲି ତାର ଅବଶିଷ୍ଟାଂଶ କାଟି ମୁଁ ପ୍ରଥମ ମାସ୍କ ତିଆରି କରିବାକୁ ଚେଷ୍ଟା କଲି ଓ ସଫଳ ହେଲି | ସେଦିନ ମୋର ସ୍ବର୍ଗତା ମାଙ୍କ ପ୍ରତି ମନେ ମନେ କୃତଜ୍ଞତା ଜଣାଇଥିଲି ମୋତେ ସିଲାଇ ଶିଖେଇଥିବା ପାଇଁ | ମୋର ଆଉ ଜଣେ ଘନିଷ୍ଠ ବାନ୍ଧବୀ ସୋସିଆଲ ମେଡିଆରେ ଲେଖିଥିଲେ ସେ ନିଜେ ବି ମାସ୍କ ତିଆରି କରି ପାରିବେ | ଯଦି ଅନ୍ୟ କେହି କନା କାଟିବାରେ ସାହାଯ୍ୟ କରନ୍ତି ତାହାଲେ ପ୍ରତିଦିନ ଅଧିକ ସଂଖ୍ୟାରେ ମାସ୍କ ତିଆରି ହେଇ ପାରିବ | ଆମେ ତିନି ଚାରି ଜଣ ପ୍ରଥମେ ସିଲାଇ ଆରମ୍ଭ କଲୁ | ଦୁଇ ଚାରି ବନ୍ଧୁ କନା କାଟିବାରେ ଅତି ଶୀଘ୍ର ଯୋଗ ଦେଲେ |
ଗୋଟେ ଗୋଟେ କରି ଅନ୍ୟ ହସ୍ପିଟାଲ ଆଉ ନର୍ସିଂ ହୋମ ମାନଙ୍କରୁ ମାସ୍କ ଦାନ କରିବା ଲାଗି ଅନୁରୋଧ ବହୁଳ ପରିମାଣରେ ଆସିବାରେ ଲାଗିଲା | ଯିଏ କନା କାଟୁଥିଲା ଅବା ସିଲେଇ କରୁଥିଲା ତାର ସମୟ ବଞ୍ଚାଇବା ଲାଗି ଅନ୍ୟ କେତେ ସାଙ୍ଗ ଯୋଗ ଦେଲେ ଗାଡି ଚଲାଇ ମାସ୍କ ଗୁଡିକୁ ନିର୍ଦ୍ଦିଷ୍ଟ ଜାଗାରେ ପହଞ୍ଚାଇବା ଲାଗି | କନା କିଣିବା ମଧ୍ୟ ସହଜ ନଥିଲା ଦୋକାନ ବଜାର ବନ୍ଦ ହେବା ଯୋଗୁଁ | ତେଣୁ ଅନେକ ଲୋକ ତାଙ୍କର ପରଦା, ଚାଦର, ଶାଢ଼ୀ, ବ୍ଲାଉଜ ପିସ, ସଲ୍ୱାର, ସ୍କାର୍ଟ ଆଦି କାଟି ଦାନ କରିବାରେ ଲାଗିଲେ | ରାତାରାତି ଆମର ଅଭିଯାନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇ ଚହଳ ସୃଷ୍ଟି କଲା ଏବଂ ଅନେକ ମହିଳା ସେଥିରେ ଯୋଗ ଦେବା ଆରମ୍ଭ କଲେ |
“ଲୋଗ ମିଲତେ ଗୟେ କାରବାଁ ବନତା ଗୟା”, “ସାଥୀ ହାଥ ବଢାନା ଏକ ଅକେଲା ଥକ ଯାଏଗା..” ହିନ୍ଦୀ ଚଳଚ୍ଚିତ୍ରର କାହାଣୀ ପରି ପ୍ରାୟ ଦେଢ଼ ଶହ ମହିଳା ଓ ପୁରୁଷ ମାସକ ଭିତରେ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ | ଆମର ଏଇ ଯୋଜନାର ନାମ ଥିଲା ‘Sew We Care’ | ଏହା ଦୀର୍ଘ ୩/୪ ମାସ ଧରି ଆମେ ଚଲାଇ ରଖିଥିଲୁ, ଯେପର୍ଯ୍ୟନ୍ତ ବଜାରରେ ମାସ୍କ ଉପଲବ୍ଧ ହୋଇ ନଥିଲା | ସମସ୍ତ ସ୍ବେଚ୍ଛାସେବୀ ତାଙ୍କର କନା, ସୁତା ଆଦି ଦାନ କରିବାରେ, କନା କାଟିବାରେ, ସିଲେଇ କରିବାରେ ଏବଂ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାରେ ଅକୁଣ୍ଠିତ ସମୟ ଦାନ କରିଥିଲେ | ସବୁଠାରୁ ବିସ୍ମୟର ବିଷୟ କାହାର କାହା ସହ ମୁହାଁମୁହିଁ ଦେଖା ହେଉ ନ ଥିଲା | କେବଳ ଦୂରଭାଷର ସନ୍ଦେଶରେ କାର୍ଯ୍ୟ ଶୃଙ୍ଖଳିତ ଭାବେ ସମ୍ପାଦିତ ହେଉଥିଲା | ଏହା ଏକ ସୁଚିନ୍ତିତ ରିଲେ ଦୌଡ଼ ଥିଲା, ଯେଉଁଥିରେ କି ସମସ୍ତଙ୍କର ଅଦୃଶ୍ୟ ସହଯୋଗରେ ଏକ ସଦଭାବନାର କୋଣାର୍କ ଗଢି ହୋଇଗଲା । ମୋ ଝିଅକୁ ଏହା ଏଭଳି ଅସମ୍ଭବ ଲାଗିଥିଲା ଯେ, ସେ କହିଲା ଆମେ ଡ୍ରଗ ମାଫିଆଙ୍କ ପରି ସଂଗଠିତ ଭାବରେ ମାସ୍କ ବନାଉଚୁ | ପରସ୍ପରକୁ ନ ଚିହ୍ନି ମଧ୍ୟ ସମସ୍ତେ ନିଜ ନିଜ ସେବାରେ ପାରଙ୍ଗମ ଥିଲେ |
ଏତେ ଅଳ୍ପ ସମୟରେ ଆମେ ପ୍ରାୟ ୨୨,୦୦୦ ରୁ ଅଧିକ ମାସ୍କ ତିଆରି କରିଥିଲୁ ଯାହା ୧୫୦ରୁ ଅଧିକ ସଂସ୍ଥାକୁ ଦାନ କରା ଯାଇଥିଲା | ତାହା ମଧ୍ୟରୁ ସୌଭାଗ୍ୟ ବଶତଃ ମୁଁ ୨୭୦୦ ମାସ୍କ ତିଆରି କରିପାରିଥିଲି | ମୁଁ ଦଶ ସପ୍ତାହ ଧରି ନିଜର ସମସ୍ତ ସମୟ ଓ ମନପ୍ରାଣ ସେଥିରେ ଢାଳି ଦେଇଥିଲି | ମୋର ଦି ଝିଅ ଓ ସ୍ୱାମୀ ଘର କାମ କରି ମାସ୍କ ତିଆରି ପାଇଁ ଅବସର ସୃଷ୍ଟି କରିବାରେ ମତେ ଯଥେଷ୍ଟ ସାହାଯ୍ୟ କରିଥିଲେ | ପ୍ରଥମେ ପ୍ରାୟ ୩୦୦ ମାସ୍କ ମୁଁ ନିଜ ଘରେ ଯେଉଁ କନା ଥିଲା ତାକୁ କାଟି ତିଆରି କରିଥିଲି | ତା ପରଠାରୁ ପ୍ରତି ସପ୍ତାହର ସୋମବାର ସୁଦ୍ଧା କିଏ ନା କିଏ ସ୍ବେଚ୍ଛାସେବୀ ଆଣି କନା ଘର ସାମନାରେ ରଖି ଦେଇ ଯାଆନ୍ତି | ମୋର ପଡିଶା ଘରର ସାଙ୍ଗ ତାକୁ ନିର୍ଦ୍ଦିଷ୍ଟ ମାପରେ କାଟିଦିଏ | ତାର ଦଶ ବର୍ଷର ଝିଅ ଆମ ବାନର ସେନାର ସବୁଠାରୁ ସାନ ସଦସ୍ୟ | ମୋ ଘରକୁ ଏ କନା ନେବା ଆଣିବାରେ ସେ ସାହାଯ୍ୟ କରେ | ମୁଁ ତାକୁ ଶନିବାର ସୁଦ୍ଧା ସିଲାଇ କରେ | ରବିବାର ଘର ସାମ୍ନାରୁ ପୁଣି ଅନ୍ୟ କେହି ତାକୁ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇ ଦିଅନ୍ତି | ଅଳ୍ପ ସମୟ ଭିତରେ ଆମର ଏହି ନିଃସ୍ୱାର୍ଥପର ସେବାର ଭୁରି ଭୁରି ପ୍ରଶଂସା ଏ ଅଂଚଳର ଖବର କାଗଜ, ନିଉଜ ଚାନେଲ ଆଦିରେ ଖୁବ ହେଲା | କାରଣ ଯେଉଁ ସମୟରେ ଡାକ୍ତର ଓ ନର୍ସମାନଙ୍କ ପାଇଁ ମାସ୍କର ଉତ୍କଟ ଅଭାବ ଦେଖା ଦେଇଥିଲା, ସେହି ସମୟରେ ଆମର ସେବା ସବୁଠୁ ବେଶି କାମରେ ଆସିଥିଲା |
ଆଜିକୁ ବର୍ଷେ ଉପରେ ହେଇଗଲାଣି ତଥାପି ଆମେ ସେହି ଭୁତାଣୁର କରାଳ ପ୍ରକୋପରୁ ମୁକ୍ତ ହେଇ ପାରିନାହୁଁ | କିଛି ମାତ୍ରାରେ ବିଜ୍ଞାନ ନିଶ୍ଚୟ ଅଗ୍ରସର ହୋଇଛି ଏହାକୁ କାବୁ କରିବାରେ, କିନ୍ତୁ ଆଜିବି ପୃଥିବୀର କୌଣସି ଅଞ୍ଚଳ ସମ୍ପୂର୍ଣ୍ଣ କରୋନା ମୁକ୍ତ ନୁହେଁ | ଭଗବାନଙ୍କ ଲୀଳା ସମସ୍ତଙ୍କୁ ଅଗୋଚର | ଗତ ବର୍ଷର ଏହି ନିଃସ୍ୱାର୍ଥ ସମାଜ ସେବା ମୋର ମାନସିକ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରାରେ ଅନେକ ପରିବର୍ତ୍ତନ ଆଣିଥିଲା | କାରଣ ଯେଉଁ ସମୟରେ ମହାମାରୀ ତାର ପ୍ରଚଣ୍ଡ ତାଣ୍ଡବଲୀଳାର ଚରମ ସୀମାରେ ଥିଲା, ସେ ସମୟରେ ମୋତେ ମୋର ସେବା ଚିନ୍ତାମୁକ୍ତ ରହିବାରେ ସାହାଯ୍ୟ କରିଥିଲା ଏକ ସକାରାତ୍ମକ ଉର୍ଜା ସହ | ସୋସିଆଲ ମେଡ଼ିଆରୁ ଦୂରରେ ରହି କେବଳ ସେବା ମନୋଭାବରେ ନିଜକୁ ଉଦ୍ବୁଦ୍ଧ କରିବାରେ, ମନକୁ ଅଶାନ୍ତ ପରିବେଶରେ ଶାନ୍ତ ସମାହିତ ରଖିବାରେ ଏହା ସହାୟକ ହୋଇଥିଲା |
ନିଜକୁ ସେବାରେ ବ୍ୟସ୍ତ ରଖିବା ପ୍ରକ୍ରିୟାରେ ମୋ ନିଜର ଅନ୍ତର୍ନିହିତ ଶକ୍ତି ମଧ୍ୟ ମୁଁ ଆବିଷ୍କାର କରିଥିଲି | ସମଗ୍ର ଶକ୍ତି ସଂଚୟ କରି ଯଦି ଗୋଟାଏ କାମରେ ଶୁଦ୍ଧମନରେ ମଣିଷ ଲାଗେ, ତେବେ ତାର ସମ୍ଭାବ୍ୟ ଫଳାଫଳ ବହୁଗୁଣିତ ହୋଇ ଯାଏ | କାରଣ ମୁଁ ପ୍ରଥମ ସପ୍ତାହରେ ୩୦ଟା ମାସ୍କ ତିଆରି କରି ପାରି ଥିଲି | ଶେଷ ସପ୍ତାହରେ ୩୬୦ ଟା | ଅଭ୍ୟାସ ଦ୍ୱାରା, ଯେ କୌଣସି କାର୍ଯ୍ୟରେ ସିଦ୍ଧି ଲାଭ କରି ହୁଏ | ମୋର ଆପଣା ଅନୁଭୂତି ଏହାର ଏକ ଜ୍ୱଳନ୍ତ ଉଦାହରଣ |
ମୋ ଭିତରେ ଜଣେ କଳାକାର ସବୁବେଳେ ଲୁଚି ରହିଥାଏ | ଦିନ ରାତି ବସି ଏତେ ପରିମାଣରେ ସିଲାଇ କରିବା ଭାରି ବିରକ୍ତିକର କାମ | ସବୁ ସପ୍ତାହରେ ମୋତେ ଯାହା ସବୁ କନା ଦାନରେ ମିଳେ ସେମାନେ ମୋ ମନର ଶୂନ୍ୟ ଚିତ୍ରପଟରେ ରଙ୍ଗ ଭଳି ମନେ ହୁଅନ୍ତି | ସେହି ରଙ୍ଗକୁ ନେଇ ନିଜକୁ ନିଜେ ଉତ୍ସାହିତ କରିବା ଲାଗି ମୁଁ ମାସ୍କ ଗୁଡାକୁ ବିଭିନ୍ନ ଆକାରରେ ସଜାଇ ଫୋଟୋ ଉଠାଇ ପୋଷ୍ଟର ତିଆରି କରିବାରେ ଲାଗିଲି | ଏହା ଅନ୍ୟ ସେବିକା ମାନଙ୍କୁ ମଧ୍ୟ ଉତ୍ସାହ ଦେବାରେ ସାହାଯ୍ୟ କରିଥିଲା | ସେଇ କିଛି ପୋଷ୍ଟର ରହି ଯାଇଛି ସେଇ ବିରଳ ଅନୁଭୂତିର ସ୍ମୃତି ହୋଇ । ସମ୍ଭବତଃ ତାହା ମୋ ଅନ୍ତର୍ମୁଖୀ ଭାବନାର ମୂକସାକ୍ଷୀ |
@Manorama Choudhury
Photos of masks can be seen in this blog post
This article was originally published in Urmi 2021, pg. 100
