A LITTLE OF MY STORY
ଲାଇବ୍ରେରୀ ଯାହାକୁ ଆମେ ସାଧାରଣ ଭାବରେ ଏକ ପାଠାଗାର ବୋଲି ବୁଝିଥାଉ ଯେଉଁଠି ବିଭିନ୍ନ ପ୍ରକାଶିତ ପୁସ୍ତକ, ପ୍ରବନ୍ଧ, ପତ୍ରିକା ଆଦି ଲିଖିତ ତଥ୍ୟ ସଂଗୃହିତ ହୋଇ ରହିଥାଏ । ତେବେ ପୃଥିବୀର ପ୍ରଥମ ପାଠାଗାର ମେସୋପୋଟାମିଆ ସଭ୍ୟତାର ସୁମେର ଠାରେ ମିଳିଅଛି । ସେଠାରେ କର୍ଦ୍ଦାଲେଖ୍ୟ (Clay Tablets) ବା ମୃତ୍ତିକା ପଟରେ କୀଳକ ଲିପିରେ (cuniform) ଲିଖିତ ପୃଥିବୀର ପ୍ରାଚୀନତମ ପୁସ୍ତକ ଗୁଡ଼ିକ ରହିଛି । ତା ମଧ୍ୟରୁ କିଛି କର୍ଦ୍ଦାଲେଖ୍ୟ ଖ୍ରୀଷ୍ଟପୂର୍ବ ୨୬୦୦ ମସିହାରେ ରଚିତ ହୋଇଥିବାର ପ୍ରମାଣ ମିଳିଛି ।

ଆଧୁନିକ ସମୟରେ ସର୍ବସାଧାରଣ ପାଠାଗାର, ସ୍ୱତନ୍ତ୍ର ପାଠାଗାର, ବିଦ୍ୟାଳୟ ପାଠାଗାର, ଶୈକ୍ଷିକ ପାଠାଗାର, ଜାତୀୟ ପାଠାଗାର, ଡିଜିଟାଲ ପାଠାଗାର ଏଭଳି ବିଭିନ୍ନ ପ୍ରକାରର ପାଠାଗାର ସମ୍ପର୍କରେ ଆମେ ଶୁଣିବାକୁ ପାଉ । ଜନତାଙ୍କ ଆର୍ଥିକ ସହାୟତାରେ, ଜନତାଙ୍କ ଦ୍ୱାରା, ଜନତାଙ୍କ ପାଇଁ ଯେଉଁ ପାଠାଗାର ଗୁଡ଼ିକ ନିର୍ମିତ ହୋଇଥାଏ ତାହାକୁ ସର୍ବସାଧାରଣ ପାଠାଗାର (public library) କୁହାଯାଏ । ସାର୍ବଜନୀନ ବ୍ୟବହାର ପାଇଁ ପ୍ରତିଷ୍ଠିତ ଏହି ପାଠାଗାର ଜ୍ଞାନର ଏକ ଗନ୍ତାଘର । ଯେ କୌଣସି ସମାଜରେ ପାଠାଗାରର ବିଶେଷ ଭୂମିକା ରହିଛି ।
ଭାରତର ଗୋୖରବମୟ ଇତିହାସ ପୃଷ୍ଠାରେ ଖ୍ରୀଷ୍ଟପୂର୍ବ ପଞ୍ଚମ ବା ଷଷ୍ଠ ଶତାବ୍ଦୀରେ ତକ୍ଷଶିଳା ବୌଦ୍ଧ ଧର୍ମ ଏବଂ ବୈଦିକ ଉଚ୍ଚ ଶିକ୍ଷାର ଏକ କେନ୍ଦ୍ର ଥିଲା । ପଞ୍ଚମ ଶତାବ୍ଦୀରେ ନିର୍ମିତ ନାଳନ୍ଦା ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଥିଲା । କୁହାଯାଏ ନାଳନ୍ଦା ବିଶ୍ୱବିଦ୍ୟାଳୟର ପାଠାଗାର (ଧର୍ମଗଞ୍ଜ) ଏତେ ବଡ଼ ଥିଲା ଯେ ଯେତେବେଳେ ତୁର୍କୀ ଆକ୍ରମଣକାରୀ, ମହମ୍ମଦ ବକ୍ତିୟାର ଖିଲିଜୀ, ଏହାକୁ ଜଳାଇ ଦେଇଥିଲା ପ୍ରାୟ ତିନି ମାସ ପର୍ଯ୍ୟନ୍ତ ନିଆଁ ଲିଭି ନଥିଲା । ଏତଦବ୍ୟତୀତ ବିହାରର ଓଡ଼ନ୍ତପୁରୀ, ବାଂଲାଦେଶର ସୋମପୁର, ବଙ୍ଗର ଜଗଦ୍ଦଳ, ଆନ୍ଧ୍ରର ନାଗର୍ଜୁନକୋଣ୍ଡା, ବିହାରର ବିକ୍ରମଶିଳା, କାଶ୍ମୀରର ଶାରଦା ପୀଠ, ଗୁଜୁରାଟର ବଲ୍ଳଭି, ତାମିଲନାଡୁର କାଞ୍ଚିପୁରମ, କର୍ଣ୍ଣାଟକର ମାନ୍ୟଖେତ, ଓଡ଼ିଶାର ପୁଷ୍ପଗିରି ଆଦି ବୌଦ୍ଧଧର୍ମ ଶିକ୍ଷା କେନ୍ଦ୍ର ଗୁଡିକ ଉନ୍ନତ ପାଠାଗାରରେ ପରିଣତ ହୋଇଥିଲେ ।

ଓଡ଼ିଶାର ରତ୍ନଗିରି, ଉଦୟଗିରି ଏବଂ ଲଲିତଗିରିକୁ ହୀରକ ତ୍ରିଭୁଜ କୁହାଯାଏ । ଏକଦା ବୌଦ୍ଧ ଭିକ୍ଷୁ ଏବଂ ପ୍ରଚାରକମାନଙ୍କର ଏହା ସକ୍ରିୟ ଅଧ୍ୟୟନ କେନ୍ଦ୍ର ଥିଲା । ଓଡ଼ିଶାର ପ୍ରାଗୈତିହାସିକ ପୃଷ୍ଠାରୁ ମଧ୍ୟ ଜଣାଯାଏ ଯେତେବେଳେ ପାଠାଗାର ନଥିଲା ସେତେବେଳେ ଶିଳା ସ୍ଥମ୍ଭମାନଙ୍କରେ ଉପଯୋଗୀ ତଥ୍ୟମାନ ଖୋଦେଇ କରି ଜନସାଧାରଙ୍କ ପାଇଁ ଉପଲବ୍ଧ କରାଯାଉଥିଲା। ପରବର୍ତ୍ତୀ ସମୟରେ ଭାଗବତ ଟୁଙ୍ଗି ଓ ଭାଗବତ ମଠର ବ୍ୟବହାର ଜ୍ଞାନର ପ୍ରସାର ଶ୍ରୁତି ଓ ସ୍ମୃତି ମାଧ୍ୟମରେ କରାଯାଇଥିଲା । ସମୟାନୁକ୍ରମେ ସଂଗୃହିତ ତଥ୍ୟମାନଙ୍କୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇବାର ଭିନ୍ନ ଭିନ୍ନ ବ୍ୟବସ୍ଥା ରହିଥିଲା ।
ଆଜିକାଲିର ଯେଉଁ ପାଠାଗାର ବ୍ୟବସ୍ଥା ଆମେ ଭାରତରେ ଦେଖୁଛେ ତାହା ସ୍ୱାଧୀନତା ପୂର୍ବରୁ ରାଜାମାନଙ୍କ ପୃଷ୍ଠପୋଷକତାରେ ଆରମ୍ଭ ହୋଇଥିଲା । ଓଡ଼ିଶାରେ ୧୮୯୭ରେ କେନ୍ଦ୍ରାପଡା ଏବଂ ୧୮୯୮ରେ ବାରିପଦାରେ ପ୍ରଥମେ ସର୍ବସାଧାରଣ ପାଠାଗାରମାନ ଗଢ଼ାହୋଇଥିଲା । ଓଡ଼ିଶାରେ ଗ୍ରନ୍ଥାଗାର ସମ୍ମିଳନୀ (Utkal Library Association ) ଯାହା ୧୯୪୪ରେ ଆରମ୍ଭ ହୋଇଥିଲା ତାହା କେବଳ କାଗଜ ପତ୍ରରେ ରହିଯାଇ ଥିଲା । ସ୍ୱାଧୀନତା ପରେ ୧୯୫୬ ଠାରୁ ଓଡ଼ିଶାରେ ସାର୍ବଜନୀନ ପାଠାଗାର ଆନ୍ଦୋଳନ ଧୀରେ ଧୀରେ ଗୁରୁତ୍ୱ ପାଇଲା । ଓଡ଼ିଶାରେ ‘ଓଡ଼ିଶା ପବ୍ଲିକ ଲାଇବ୍ରେରୀ ଆକ୍ଟ -୨୦୦୧’ କୁ ୨୦୦୨ ରେ କ୍ୟାବିନେଟରେ ଅନୁମୋଦନ କରାଯାଇଥିଲା । ୨୦୧୨ ରେ ଭାରତର କେନ୍ଦ୍ରୀୟ ସରକାର ଏକ ୧୦୦୦ କୋଟି ଟଙ୍କା ଯୋଜନା ଆରମ୍ଭ କରିଥିଲେ ୯୦୦୦ ଲାଇବ୍ରେରୀକୁ ଡିଜିଟାଲ୍ ଦ୍ୱାରା ଯୋଗାଯୋଗ କରିବା ପାଇଁ । ୨୦୧୩ ମସିହାରୁ ‘ଓଡ଼ିଶା ସୋସାଇଟି ଅଫ ଆମେରିକା’ କ୍ରମାଗତ ଭାବେ ଓଡ଼ିଶା ସରକାରଙ୍କ ସହ E-Library ଗଠନ ଓ ତାର ସଫଳ କାର୍ଯ୍ୟକାରିତା ଦିଗରେ ନିଜର ସମ୍ବଳ ଓ ସମୟ ପ୍ରଦାନ କରି ସହଯୋଗ କରିଆସିଛି । ସରକାରୀ କ୍ଷେତ୍ରରେ ଯୋଜନା ହେବା ଯେତିକି ଆବଶ୍ୟକ, ତାହାକୁ କାର୍ଯ୍ୟରେ ପରିଣତ କରାଇବା ମଧ୍ୟ ସେତିକି ଆବଶ୍ୟକ । (The timeline for library projects – http://opli.odishasociety.org/chronology-of-key-events/)
ଆଜିର ବୈଜ୍ଞାନିକ, ଯାନ୍ତ୍ରିକ ସମାଜରେ ଯେତେବେଳେ ସମଗ୍ର ପୃଥିବୀ ଏକ ବିଶ୍ଵଗ୍ରାମରେ ପରିଣତ ହୋଇଛି, ତା’ପଛରେ ଆଧୁନିକ ଅନ୍ତର୍ଜାଲ (internet) ବିପ୍ଳବର ହାତ ରହିଛି । ଆଧୁନିକୀକରଣ ଦ୍ରୁତ ଗତିରେ ବଢ଼ିଚାଲିଛି। ଏହା ଅନେକ କ୍ଷେତ୍ରରେ ଆମର ଚିନ୍ତାଧାରାର ଆଦାନପ୍ରଦାନ କରିବାରେ ସାହାଯ୍ୟ ମଧ୍ୟ କରିଛି । କିନ୍ତୁ ଗ୍ରାମୀଣ ଅଂଚଳରେ, କିମ୍ବା ଯେଉଁଠି ଅନ୍ତର୍ଜାଲର ସୁବିଧା ବ୍ୟକ୍ତିଗତ ସ୍ତରରେ ଉପଲବ୍ଧ ହୋଇ ପାରିନାହିଁ ସେଠାରେ ପାଠାଗାରର ଚାହିଦା ଅଧିକ ରହିଛି। ସମାଜର ପ୍ରତି ସ୍ତରରେ ଲୋକଙ୍କ ପାଇଁ ଯେ କୌଣସି ବିଷୟରେ ସୂଚନା ସୁଲଭ ଭାବେ ଉପଲବ୍ଧ ହେଇ ପାରିବ ସେଭଳି ଏକ ସଂସ୍ଥାର ଆବଶ୍ୟକତା ସବୁବେଳେ ରହି ଆସିଛି ।

ଭିନ୍ନ ଭିନ୍ନ ଆର୍ଥିକ ପରିସ୍ଥିତିରେ ସମସ୍ତ ନାଗରିକଙ୍କ ଜୀବନ ଶୈଳୀ ଏକ ପ୍ରକାର ନହେଲେ ମଧ୍ୟ ସେମାନଙ୍କର ମୌଳିକ ଅଧିକାର ସମାନ ରହିବା ଆବଶ୍ୟକ । ତେଣୁ ଭାରତ ଭଳି ଜନବହୁଳ ଓ ବହୁଭାଷୀ ଦେଶର ବିଭିନ୍ନ ଅଞ୍ଚଳରେ ସାର୍ବଜନୀନ ବ୍ୟବହାର ପାଇଁ ପାଠାଗାରର ଭୂମିକା ଆହୁରି ଗୁରୁତ୍ବପୂର୍ଣ୍ଣ ଯେଉଁଠି କି ସବୁ ବୟସର, ସବୁ ଶ୍ରେଣୀର, ସବୁ ସ୍ତରର ଲୋକେ ସଦସ୍ୟ ଭାବେ ଲାଭାନ୍ବିତ ହେଇ ପାରିବେ। ତେଣୁ ପାଠାଗାର ଗୁଡ଼ିକ ସରକାରୀ ଏବଂ ଅଣଲାଭକାରୀ ଅନୁଷ୍ଠାନ ହେବା ଉଚିତ ଓ ଏହା ପ୍ରତ୍ୟେକ ବ୍ଲକ ସ୍ତରରେ ରହିବା ଆବଶ୍ୟକ ଯେଉଁଠି ପାଖ ଆଖ ଅଞ୍ଚଳରେ ରହୁଥିବା ନାଗରିକମାନେ ସଦସ୍ୟ ହୋଇ ଲାଭାନ୍ବିତ ହେବେ ।
ଓଡ଼ିଶାରେ ପାଠାଗାରର ଚାହିଦା :
ଏହି ପ୍ରବନ୍ଧରେ ମୋର କେବଳ ଏତିକି ପ୍ରୟାସ ଯେ ମୋ କର୍ମଭୂମି ଆମେରିକାରେ ଯେଭଳି ସର୍ବସାଧାରଣ ପାଠାଗାର ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ତାହା କିଭଳି ମୋ ମାତୃଭୂମି ଓଡ଼ିଶାରେ ବ୍ୟବହୃତ ହେଇପାରିବ । ଓଡ଼ିଶାରେ ନିଶ୍ଚିତ ଭାବରେ ଅନେକ ପାଠାଗାର ଅଛି । ଯେଉଁ ପାଠାଗାରମାନ ଅଛି ତାହାର କେତେଦୂର ଉପଯୁକ୍ତ ବ୍ୟବହାର ହେଇ ପାରିଛି ଅବା ହେଇପାରିବ, ସେହି ଦିଗରେ ସଚେତନତା ସୃଷ୍ଟି କରାଇବା ଏଠାରେ ମୋର ଆନ୍ତରିକ ଉଦ୍ଦେଶ୍ୟ ।
ନିମ୍ନରେ କିଭଳି ଭାବେ ଆମେରିକାରେ ପାଠାଗାର ଗୁଡ଼ିକର ସଦୁପଯୋଗ ହୁଏ ତା’ର ଏକ ତାଲିକା ଦେଉଛି —
- ପାଠାଗାର ଗୁଡ଼ିକ ପିଲାଠୁ ବଡ଼ ସମସ୍ତ ପାଠକମାନଙ୍କ ପାଇଁ ପ୍ରକାଶିତ ପତ୍ର, ପତ୍ରିକା, ଓ ପୁସ୍ତକକୁ ସଂଗୃହିତ କରି ରଖନ୍ତି । ପାଠାଗାର ମାନଙ୍କର ପରସ୍ପର ସହିତ ଆଭ୍ୟନ୍ତରୀଣ ବୁଝାମଣା ଥାଏ । ଯଦି କୌଣସି ପୁସ୍ତକ ଗୋଟିଏ ଅନୁଷ୍ଠାନରେ ନଥାଏ, ସେମାନେ ଜାଲିକା (network) ସଂଯୋଗରେ ଥିବା ଅନ୍ୟ ପାଠାଗାର ଠାରୁ ଆଣି ତାହାକୁ ପାଠକକୁ ଯୋଗାଇ ଥାଆନ୍ତି । ଆଉ ଯଦି ନେଟୱର୍କର କୌଣସି ପାଠାଗାରରେ ତାହା ନଥାଏ ତେବେ ତାହା ନୂଆ କିଣାଯାଇ ପୁସ୍ତକ ସଂଗ୍ରହରେ ଯୋଡ଼ା ଯାଇଥାଏ ।
- ସମୟେ ସମୟେ ପାଠାଗାରମାନଙ୍କରେ ବିଭିନ୍ନ ବିଷୟରେ ଚର୍ଚ୍ଚା ପାଇଁ ଗଠନମୂଳକ‘ପୁସ୍ତକ-କ୍ଳବ’ ଆୟୋଜିତ କରାଯାଇ ଥାଏ ।
- ସବୁ ବୟସର ସଦସ୍ୟ ମାନଙ୍କ ପାଇଁ ସ୍ୱତନ୍ତ୍ର ପୁସ୍ତକ ଆଲୋଚନା ମଣ୍ଡଳୀ, ସିଲାଇ ଶିକ୍ଷା, ପିଲାମାନଙ୍କ ପାଇଁ କାହାଣୀ ପରିବେଷଣ, କଳା ଏବଂ ହସ୍ତଶିଳ୍ପ ଶିକ୍ଷା, ଯୋଗ ଶିକ୍ଷା, ଆଦିର ବ୍ୟବସ୍ଥା ମଧ୍ୟ ଏ ପାଠାଗାର ମାନଙ୍କରେ କରାଯାଇଥାଏ ।
- ଅନେକ ସମୟରେ ଲେଖକ ଓ ଲେଖିକା ମାନଙ୍କୁ ଆମନ୍ତ୍ରଣ କରି ସେଠାରେ ସେମାନଙ୍କ ପୁସ୍ତକ ଚର୍ଚ୍ଚା କରଯାଇ ଥାଏ ।
- ପ୍ରତ୍ୟେକ ସହରର ସରକାରୀ ସ୍କୁଲ ଗୁଡ଼ିକ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ କିଛି ନା କିଛି ଏଭଳି ଗବେଷଣାମୂଳକ ଉଦ୍ୟମ କରୁଥାନ୍ତି ଯେଭଳି ଜଣେ ଛାତ୍ର ପାଠାଗାର ଉପରେ ପ୍ରତି ସପ୍ତାହରେ ନିଶ୍ଚିତ ଭାବେ ନିର୍ଭରଶୀଳ ହେବାକୁ ବାଧ୍ୟ ହୁଏ ।
- ପ୍ରବାସୀମାନଙ୍କ ପାଇଁ ଇଂରାଜୀ ଭାଷା ଶିକ୍ଷାର ବ୍ୟବସ୍ଥା ମଧ୍ୟ ଅନେକ ପାଠାଗାରରେ ଆୟୋଜିତ ହୋଇଥାଏ ।
- ସେଠାରେ ଇଣ୍ଟର୍ନେଟ ଏବଂ ପ୍ରିଣ୍ଟର ଉଭୟ ସୁବିଧା ରହିଥାଏ ଜଣେ ଯଦି ସେଠାରେ ତାର ବ୍ୟବହାର କରିବାକୁ ଚାହେଁ ।
- ଏହି ଅନୁଷ୍ଠାନ ଗୁଡିକରେ ପ୍ରକାଶିତ ପୁସ୍ତକ ବ୍ୟତୀତ ସିନେମା, ଅଡ଼ିଓ ବହି, ବୋର୍ଡ଼ ଖେଳ, ସଂଗୀତ ଆଦି ମଧ୍ୟ ସଦସ୍ୟ ମାନଙ୍କ ବ୍ୟବହାର ପାଇଁ ସଂଗୃହିତ ହୋଇ ରହିଥାଏ ।
- ପୁସ୍ତକ, ପତ୍ରିକା, ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ ମୁଦ୍ରିତ ସାମଗ୍ରୀର ଏକ ବିଶାଳ ସଂଗ୍ରହାଳୟ ହେବା ବାଦେ ପରିବର୍ତ୍ତନଶୀଳ ସମାଜ ସହ ତାଳ ଦେଇ ପାଠାଗାରମାନେ ଇଣ୍ଟର୍ନେଟ, ଇ-ବୁକ୍ ଏବଂ ଇ-ପତ୍ରିକା, ଚାକିରୀ ବିଜ୍ଞାପନ, କମ୍ପ୍ୟୁଟର ଷ୍ଟେସନ୍, ମାଗଣା ୱାଇ-ଫାଇ ଆଦି ଅନେକ ସୁବିଧା ଅନ୍ତର୍ଭୁକ୍ତ କରିଥାଆନ୍ତି ।
ଉପରୋକ୍ତ କହିବା ଅନୁଯାଇ ଭାରତରେ କେତେ ଅଂଚଳରେ ପାଠାଗାର ସଦୁପଯୋଗ ହେଇପାରିଛି । ଓଡ଼ିଶାରେ ମଧ୍ୟ ପାଠାଗାର ଗୁଡ଼ିକର ସାମର୍ଥ୍ୟ ଅନୁଯାୟୀ ବ୍ୟବହାର ହେଇ ପାରିବ ବୋଲି ମୋର ଆଶା ଓ ବିଶ୍ୱାସ । କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ପାଣ୍ଠିକୁ ମଧ୍ୟ ରାଜ୍ୟ ସରକାର ଆଗକୁ ନୂଆ ପାଠାଗାର ପ୍ରତିଷ୍ଠା କରିବା ଦିଗରେ ପଦକ୍ଷେପ ନେବେ ବୋଲି ମୋର ଆଶା । ଏତଦ୍ୱାରା ଅନେକାଂଶରେ ଲେଖକ, ପ୍ରକାଶକ ଓ ପାଠକ ମଧ୍ୟ ଉପକୃତ ହୋଇପାରନ୍ତେ । ଭାରତ ପରି ଜନବହୁଳ ଦେଶରେ ପାଠପଢା ପାଇଁ ଏକ ଶାନ୍ତ ପରିବେଶର ଅଭାବବୋଧ କରୁଥିବା ଅନେକ ଛାତ୍ରଛାତ୍ରୀଙ୍କୁ ଏହା ନିଶ୍ଚୟ ସହାୟକ ହେବ ସେଥିରେ କୌଣସି ସନ୍ଦେହ ନାହିଁ ।
ବ୍ୟକ୍ତିଗତ ମନ୍ତବ୍ୟ :
ଇତିହାସ, ବର୍ତ୍ତମାନ ଏବଂ ଭବିଷ୍ୟତ ପିଢ଼ିକୁ ଯୋଡ଼ି ରଖିବାପାଇଁ ସର୍ବସାଧାରଣ ପାଠାଗାରଗୁଡ଼ିକ ହେଲେ ସେତୁବନ୍ଧ । ମୋଟ ଉପରେ କହିବାକୁ ଗଲେ ପାଠାଗାରଗୁଡ଼ିକ ହେଉଛି ଗୋଟିଏ ଗୋଟିଏ କମ୍ୟୁନିଟି ହବ୍ । ଏହାଦ୍ୱାରା ବିଭିନ୍ନ ବିଷୟରେ ରୁଚି ରଖୁଥିବା ବ୍ୟକ୍ତିବଶେଷଙ୍କ ପାଇଁ ପାଠାଗାର ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଯୋଗାଯୋଗର ସୁଗମ କେନ୍ଦ୍ର ।

ସମାଜ, ସଭ୍ୟତା, ସାହିତ୍ୟ ଓ ଇତିହାସ ଆଦି ବଞ୍ଚିରହେ ଭାଷା ମାଧ୍ୟମରେ । ମନୁଷ୍ୟ ଉନ୍ନତି ମାର୍ଗରେ ତୀବ୍ରବେଗରେ ଗତି କରୁଥିବା ବେଳେ ସମୟ ପରିବର୍ତ୍ତନଶୀଳ । ମୋର ବ୍ୟକ୍ତିଗତ ବିଶ୍ୱାସ ସଭ୍ୟତା ଓ ବିଜ୍ଞାନ ଯେତେ କୃତ୍ରିମ ବୁଦ୍ଧିମତା (artificial intelligence) ଆଡ଼କୁ ଗତି କଲେ ମଧ୍ୟ ବହିଟିଏ ହାତରେ ଧରି ପଢ଼ିବା ଏବଂ କାଗଜ କଲମ ଧରି ହାତରେ ଲେଖିବାର ଅଭ୍ୟାସ ନିଜର ସ୍ମୃତି ଓ ସୃଜନଶୀଳ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ବହି ଖଣ୍ଡେ ଧରି ପାଠ ପଢ଼ିବା ଅଭ୍ୟାସ ପିଲା ମାନେ ନିଜ ପାଖଆଖର ପରିବେଶରେ ଅନ୍ୟମାନଙ୍କୁ ସେଭଳି ଅଭ୍ୟାସରେ ଲିପ୍ତ ରହିବା ଦେଖି ଶିଖନ୍ତି ।
ବହି ମୁଦ୍ରଣ, କ୍ରୟ, ବିକ୍ରୟ ପ୍ରକ୍ରିୟା ବଢ଼ିଲେ ଜଣେ ଳେଖକକୁ ବୌଦ୍ଧିକ ସତ୍ତା ମିଳେ, ପାଠକକୁ ପଢ଼ିବାର ସୁଯୋଗ ମିଳେ ଏବଂ ଉଭୟ କ୍ରିୟା ପ୍ରକାଶକ ପାଇଁ ମୁଦ୍ରଣର ସୁଯୋଗ ସୃଷ୍ଟି କରେ । ବ୍ୟକ୍ତିଗତ ସ୍ତରରେ ହୁଏତ ସମସ୍ତେ ସବୁ ବହି କିଣି ପାରନ୍ତି ନାହିଁ । ଲେଖକ ପାଇଁ ନିଜ ବହିର ପ୍ରଚାର ପ୍ରସାର ସମ୍ଭବ ହେଇ ନପାରେ । ତେଣୁ ସରକାରୀ ଲାଇବ୍ରେରୀ ନୀତି ନିୟମରେ ଏଭଳି ପରିବର୍ତ୍ତନ ଆସିବା ଆବଶ୍ୟକ ଯଦ୍ୱାରା ବହିଟିଏ ପାଇବା ପାଇଁ ପାଠକକୁ ସୁବିଧା ହେଇପାରିବ । ପାଠକ ସଂଖ୍ୟା ବଢ଼ିଲେ, ବହିର ଆଲୋଚନା ବଢେ ଯାହା ଲେଖକକୁ ଅଧିକ ପ୍ରୋତ୍ସାହନ ଦିଏ । ଫଳତଃ ଭାଷାରେ ଉନ୍ନତି ହେବା ମଧ୍ୟ ଦେଖାଦିଏ । ପାଠାଗାର ଟିଏ ପାଖରେ ଥିଲେ ବାପା, ମା କିମ୍ବା ଶିକ୍ଷକ ମାନେ ଛୋଟ ପିଲାଙ୍କୁ ଭବିଷ୍ୟତ ପାଇଁ ଏକ ପାଠକ କରି ଗଢ଼ି ତୋଳିବା ପାଇଁ ସାହାଯ୍ୟ ପାଇପାରିବେ । ପାଠାଗାର ଗୁଡ଼ିକରେ ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ଆବଶ୍ୟକ ଚାହିଦା ଅନୁଯାୟୀ କାର୍ଯ୍ୟକ୍ରମ ରହିବା ମଧ୍ୟ ଆବଶ୍ୟକ । ଯେହେତୁ ସମୟ ଦ୍ରୁତଗତିରେ ବଢ଼ି ଚାଲିଛି ସେହେତୁ ସମୟ ସହ ତାଳ ଦେଇ ଯେତେଦୂର ସମ୍ଭବ ଇ-ଲାଇବ୍ରେରୀ ଗଢ଼ିବା ପାଇଁ ସରକାର ପ୍ରୟାସ କରିବା ଉଚିତ ।
ତେଣୁ ସରକାରୀ ପାଠାଗାର ପ୍ରତିଷ୍ଠା କେବଳ ସାମାଜିକ ନୁହେଁ ଅର୍ଥନୈତିକ ଏବଂ ସାଂସ୍କୃତିକ ଉତ୍ଥାନ ଦୃଷ୍ଟିରୁ ଏକ ସଶକ୍ତ ମାଧ୍ୟମ । ମାକ୍ରୋଇକୋନୋମିକ୍ସରେ କେନସିୟାନ୍ (Keynesian Macroeconomics)ଙ୍କ ନୀତି କହେ ଯେତେବେଳେ ଦେଶରେ ଅର୍ଥନୈତିକ ଗତି ଶିଥିଳ ହୋଇ ପଡେ ସେତେବେଳେ ଚାକିରି ଓ ରୋଜଗାର ହାର ବୃଦ୍ଧି କରିବା ନିମନ୍ତେ ସରକାରୀ ହସ୍ତକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖେ । ଠିକ ସେହିପରି ଭାଷା, ସାହିତ୍ୟ ଏବଂ ବୌଦ୍ଧିକ ସମ୍ପତ୍ତିର ସଂରକ୍ଷଣ କରିବା ପାଇଁ ହେଲେ ସରକାରୀ ପାଠାଗାର ପ୍ରତିଷ୍ଠା ଏକ ସରହଣୀୟ ପଦକ୍ଷେପ ହେବ । ଯଦି ସରକାର ବିଭିନ୍ନ ସ୍ତରରେ ପାଠାଗାରମାନ ପ୍ରତିଷ୍ଠା କରନ୍ତି, ତେବେ କେବଳ ଲେଖକ, ପାଠକ ଓ ପ୍ରକାଶକଙ୍କ ସାହାଯ୍ୟ ପାଇଁ ନୁହେଁ, ପାଠାଗାରର ରକ୍ଷଣାବେକ୍ଷଣ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ଚାକିରିର ଅବସର ସୃଷ୍ଟି କରିପାରନ୍ତି । ସମାଜର ଅର୍ଥନୈତିକ ବ୍ୟବସ୍ଥାରେ ମଧ୍ୟ ସାହାଯ୍ୟ ହେବ ଏହା ମୋର ଦୃଢ଼ ବିଶ୍ୱାସ ।



P.S. -The Odisha Society of the Americas (OSA), in collaboration with the Odisha government, has established Odisha’s first digital public library in Berhampur, Ganjam, and supported library setups in Balasore, Mayurbhanj, and Puri. Through its Odisha Public Library Initiative (OPLI), OSA has been advocating for a “Well-integrated Modern Public Library System” to empower individuals, strengthen communities, and foster a knowledge-based society across Odisha. The initiative aims to establish modern libraries in every Grama Panchayat, enabling internet-driven prosperity.
At the 2024 Public Library Conference, inaugurated by Odisha’s Deputy CM Smt. Pravati Parida and Minister Sri Prithviraj Harichandan, OSA was encouraged to draft a Detailed Project Report (DPR) for library development in Odisha.
https://opli.odishasociety.org/
https://youtu.be/JInuQzjJDYo?si=0Qh5wru5JgUwvqPQ


Gayatri Panigrahi
01/22/2025ସର୍ବସାଧାରଣ ପାଠାଗାର -ଏକ ଉପାଦେୟ ପୂର୍ଣ୍ଣ ଲେଖା ନିଶ୍ଚିତ ଭାବରେ। ଆଜିର ଇଣ୍ଟେର୍ନେଟ ଯୁଗରେ ବହିଟିଏ ଖୋଲି ପଢିବା ପାଇଁ ନିଶ୍ଚିତ ଭାବରେ ପ୍ରୋତ୍ସାହନ ର ଆବଶ୍ୟକତା ଅଛି।
Manorama Choudhury
01/23/2025Thank you for reading and please share with others to spared the awareness. I feel for this movement it is important to have involvement from both public and private parties.
J Choudhury
01/22/2025A beautiful and in-depth analysis of need of libraries, which is particularly true for Odisha. No nation can progress without good libraries.
Manorama Choudhury
01/23/2025Thank you very much for your strong voice and support in this regard.